Categories: ଜାତୀୟ

ପ୍ରତିରକ୍ଷା ତଥ୍ୟ ଗାଏବ

ନୂଆଦିଲ୍ଲୀ,୭ା୮:ଚାଇନା ସୈନ୍ୟ ମେ’ ପ୍ରଥମ ଭାଗରେ ପୂର୍ବ ଲଦାଖର ଭାରତୀୟ ଅଞ୍ଚଳ ମଧ୍ୟରେ ଅନୁପ୍ରବେଶ କରିଥିଲେ। ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ୍ବେବ୍‌ସାଇଟର ଖବର ବିଭାଗରେ ଥିବା ଏକ ଦସ୍ତାବିଜ୍‌ରେ ଏହାକୁ ସ୍ବୀକାର କରାଯାଇଥିଲା। ଦୁଇଦିନ ପରେ ଓ୍ବେବ୍‌ସାଇଟରୁ ଉକ୍ତ ପୃଷ୍ଠା ଗାଏବ ହୋଇଯାଇଛି।
ଚଳିତ ବର୍ଷ ମେ’ ୫ରୁ ଚାଇନା ସୈନ୍ୟ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅତିକ୍ରମ କରି ଭାରତୀୟ ଅଞ୍ଚଳ ମଧ୍ୟରେ ପ୍ରବେଶ କରିଥିଲେ। ବିଶେଷକରି ଗଲଓ୍ବାନ ଉପତ୍ୟକାରେ ସେମାନଙ୍କ ଉପସ୍ଥିତି ବଢ଼ିଥିଲା। ଏହାବ୍ୟତୀତ ମେ’ ୧୭-୧୮ରେ ସେମାନେ କୁଙ୍ଗରାଙ୍ଗ ନାଲା, ଗୋଗ୍ରା ଓ ପଙ୍ଗଓଙ୍ଗ ସୋର ଉତ୍ତର ପାର୍ଶ୍ୱରେ ସେମାନେ ଅନୁପ୍ରବେଶ କରିଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଦସ୍ତାବିଜ୍‌ରେ ସ୍ବୀକାର କରାଯାଇଛି। ଓ୍ବେବ୍‌ସାଇଟର ‘ହ୍ବାଟ୍‌ ଇଜ୍‌ ନ୍ୟୁ’ ବିଭାଗରେ ଥିବା ‘ଚାଇନିଜ୍‌ ଆଗ୍ରେଶନ ଅନ୍‌ ଏଲ୍‌ଏସି’ରେ ଏହା ଦର୍ଶାଯାଇଥିଲା। ଏଥିରେ କୁହାଯାଇଛି, ପରିସ୍ଥିତିକୁ ଶାନ୍ତ କରାଇବା ପାଇଁ ତଳସ୍ତରରେ ଉଭୟ ପକ୍ଷର ସୈନ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଜୁନ୍‌ ୬ରେ କର୍ପସ କମାଣ୍ଡର ସ୍ତରୀୟ ଫ୍ଲାଗ୍‌ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ତେବେ ଜୁନ୍‌ ୧୫ରେ ଗଲଓ୍ବାନ୍‌ ଉପତ୍ୟକାରେ ଦୁଇପକ୍ଷ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଥିଲା ବୋଲି ଦସ୍ତାବିଜ୍‌ରେ ଉଲ୍ଲେଖ ଥିଲା। ଏଥିରେ ଆହୁରି କୁହାଯାଇଛି, ଜୁନ୍‌ ୨୨ରେ ଦ୍ୱିତୀୟ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ବୈଠକରେ ଉତ୍ତେଜନା ହ୍ରାସ ପାଇଁ ଆଲୋଚନା ହୋଇଥିଲା।
ଗୁରୁବାର ସକାଳେ ଓ୍ବେବ୍‌ସଇଟରୁ ଉକ୍ତ ଦସ୍ତାବିଜ୍‌କୁ ହଟାଇଦିଆଯାଇଛି। ଏହାର ଲିଙ୍କ୍‌ କାମ କରୁନାହିଁ। ଦସ୍ତାବିଜ୍‌ ତାଙ୍କ ମାଧ୍ୟମରେ ଯାଇ ନ ଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି। ମେ’ ମାସରୁ ଏଲ୍‌ଏସି ନିକଟରେ ଉତ୍ତେଜନା ଲାଗି ରହିଥିବାବେଳେ ଚାଇନା ସୈନ୍ୟ ଭାରତୀୟ ଅଞ୍ଚଳ ମଧ୍ୟରେ ପ୍ରବେଶ କରିବା ସମ୍ପର୍କରେ ପ୍ରଥମ ଥର ପାଇଁ ସରକାରୀ ଭାବେ ସୂଚନା ଦିଆଯାଇଥିଲା।

 

Share