କେନ୍ଦ୍ରାପଡ଼ା ଅଫିସ, ୨।୧୦: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାର୍ହାପୁରଠାରେ ଗହୀରମଥା ମେରାଇନ ଟର୍ଟଲ ପ୍ରୋଟେକ୍ସନ ଆଣ୍ଡ ମ୍ୟାନ୍ଗ୍ରୁଭ କଞ୍ଜରଭେଶନ ସୋସାଇଟିର ଏକ ଆଲୋଚନାଚକ୍ର ଶନିବାର ଅନୁଷ୍ଠିତ ହୋଇଥିଲା। ସୋସାଇଟି ସଭାପତି ସତ୍ୟପ୍ରକାଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବି ହୋଇଛି। ଏଥିରେ ପରିବେଶବିତ୍ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ, ପ୍ରଭୁପ୍ରସାଦ ମହାପାତ୍ର, ଆଶିଷ କୁମାର ସେନାପତି ଆଲୋଚକ ଭାବେ ଯୋଗଦେଇଥିଲେ। ସେମାନେ କହିଥିଲେ, ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପରି ଏଠାରେ ଧଳା ବଉଳା କୁମ୍ଭୀର, ଡଲ୍ଫିନ, ଅଲିଭ୍ ରିଡ୍ଲେ, ଅକ୍ଟୋପସ୍, ଅଶ୍ୱ ଖୁରାକୃତି ନୀଳରକ୍ତର କଙ୍କଡ଼ା, ଶାମୁକା ଆଦି ବିଶ୍ୱପ୍ରସିଦ୍ଧ। ତେବେ ଏମାନଙ୍କ ଜୀବନଚର୍ଯ୍ୟା, ସ୍ଥାନୀୟ ପରିବେଶ, ଔଷଧୀୟ ଗୁଣବତ୍ତା ଆଦି ଏବେ ରହସ୍ୟଘେରରେ।
ନିର୍ଦ୍ଦିଷ୍ଟ ସମୟରେ ବିରଳ ଅଲିଭ୍ ରିଡ୍ଲେଙ୍କ ଏହି ଅଞ୍ଚଳକୁ ଆଗମନ, ଅଣ୍ଡାଦାନ ପରେ ମାଈ ଅଲିଭ୍ ରିଡ୍ଲେଙ୍କ ପଳାୟନ, ଦେଢ଼ମାସ ପରେ ଶାବକଙ୍କ ପଶ୍ଚାତ୍ଗମନ ଆଦି ଏବେ ବି ରହସ୍ୟଘେରରେ ରହିଛି। ସେହିପରି ପୁରୀର ରାମଚଣ୍ଡୀ ତଟାଦେଶରେ ୨୦୧୨ ମସିହାରୁ ଅଦ୍ୟାବଧି ଅଲିଭ୍ ରିଡ୍ଲେଙ୍କ ଦେଖା ନ ଯିବାର କାରଣ ଖୋଜିବା ସହ ଗବେଷଣାଗାରରେ ଏହି ସାମୁଦ୍ରିକ ଜୀବର ଜୀବନଚକ୍ର ଅନୁଧ୍ୟାନ ହୋଇପାରିବ। ସେହିପରି ଏହି ଅଞ୍ଚଳର ବିରଳ ଧଳା କୁମ୍ଭୀର ଗୋରୀ ଏହାର ରଙ୍ଗ ପାଇଁ ବିଶ୍ୱ ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି। ଗୋରୀ କୁମ୍ଭୀର ଡାଙ୍ଗମାଳର ଆବଦ୍ଧ ସୀମାରେ ଥିଲେ ମଧ୍ୟ ଚଳିତ ବର୍ଷ ୧୬ଟି ଧଳା କୁମ୍ଭୀରଙ୍କ ଗଣନା ହୋଇଛି, ଯାହା ଗବେଷକଙ୍କ ଗବେଷଣା ପାଇଁ ଆହ୍ବାନ କରୁଛି। ଅପରପକ୍ଷରେ ଏଠାରେ ଦେଖାଯାଉଥିବା ଜେଲି ଫିସ୍, ଡଲ୍ଫିନ, ଅକ୍ଟୋପସ୍ ଆଦି ସାମୁଦ୍ରିକ ଜୀବ ସମ୍ପର୍କରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଅଧିକ ସଚେତନତା ସୃଷ୍ଟିର ଆବଶ୍ୟକତା ଅଛି। ସେହିପରି ବିରଳ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଏଠାରେ ଏକ ଆହ୍ବାନ ହୋଇଛି। ଏହି କଙ୍କଡ଼ା ଓ ଶାମୁକାରୁ ପ୍ରସ୍ତୁତ ଔଷଧ ମାନବ ସମାଜ ପାଇଁ କେତେଦୂର ଉପଯୋଗୀ ହୋଇପାରିବ, ତାହାର ଗବେଷଣା ଜରୁରୀ ହୋଇପଡ଼ିଛି। ଅପରପକ୍ଷରେ କେନ୍ଦ୍ରାପଡ଼ା ଜିଲାରେ ତଟକ୍ଷୟ ଉଗ୍ରରୂପ ଧାରଣ କରିଛି। ଏହାର ନିରାକରଣ ସମ୍ପର୍କରେ ଗବେଷଣା ହୋଇପାରିବ। ସାମୁଦ୍ରିକ ଜୀବଙ୍କ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଜାତୀୟ ଉଦ୍ୟାନ ମଧ୍ୟରେ ଏକ ଗବେଷଣାଗାର ପ୍ରତିଷ୍ଠା ପାଇଁ ସେମାନେ ଏହି ଆଲୋଚନାଚକ୍ର ମାଧ୍ୟମରେ ଦାବି କରିଛନ୍ତି। ଏଡିଏମ୍ ପୀତାମ୍ବର ସାମଲ ଏହି ପ୍ରସ୍ତାବକୁ ସ୍ବାଗତ କରିଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।