ନୂଆଦିଲ୍ଲୀ, ୧୧।୮ : ଦେଶରେ ୧୪ ଉପ ରାଷ୍ଟ୍ରପତି ଭାବେ ଜଗଦୀପ ଧନକର ଗୁରୁବାର ଶପଥ ନେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଧନକରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ।
ଶପଥ ଗ୍ରହଣ ପୂର୍ବରୁ ୭୧ ବର୍ଷିୟ ଧନକର ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଧନକରଙ୍କ ଜନ୍ମ ରାଜସ୍ଥାନର ଝୁଂଝୁନ୍ ଜିଲାରେ। ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିବା ଧନକର ଜଣେ ଆଇନଜୀବୀ । ରାଜସ୍ଥାନର ଜାଟ ସମ୍ପ୍ରଦାୟକୁ ଅନ୍ୟ ପଛୁଆ ଶ୍ରେଣୀ (ଓବିସି) ମାନ୍ୟତା ଦେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ କେନ୍ଦ୍ରରେ କିଛି ଦିନ ଧରି ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିଲେ।