Categories: ଜାତୀୟ

ସ୍ବାଧୀନତା ହରାଇବେ ଇସି

ନୂଆଦିଲ୍ଲୀ,୧୩ା୧୨ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି)ମାନଙ୍କ ନିଯୁକ୍ତି ଓ କାର୍ଯ୍ୟକାଳକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ରାଜ୍ୟ ସଭାରେ ଆଗତ ବିଲ୍‌ ଧ୍ୱନିମତରେ ଗୃହୀତ ହୋଇଯାଇଛି। ପ୍ରଚଳିତ ୧୯୯୧ର ଏ ସମ୍ପର୍କିତ ଆଇନ ପରିବର୍ତ୍ତେ ନୂଆ ଆଇନ ପ୍ରଣୟନ ପାଇଁ ଏହି ବିଧେୟକ ଅଣାଯାଇଛି। ଏଥିରେ ସିଇସି ଏବଂ ଇସିମାନଙ୍କ ନିଯୁକ୍ତି ପ୍ରକ୍ରିୟା, ଦରମା ବିଷୟ ସାଙ୍ଗକୁ ସେମାନଙ୍କ ପାଇଁ ଆଇନଗତ ସୁରକ୍ଷା ଆଦିରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ ଏହା ସମ୍ବିଧାନକୁ ଉଲ୍ଲଂଘନ କରୁଥିବାରୁ ଇସିଙ୍କ ସ୍ବାୟତ୍ତତା ଦୁର୍ବଳ ହେବ ବୋଲି କଂଗ୍ରେସ ସମାଲୋଚନା କରିଛି। ଉକ୍ତ ବିବାଦୀୟ ବିଲ୍‌ ବଳରେ କାର୍ଯ୍ୟପାଳିକାକୁ ଅତ୍ୟଧିକ କ୍ଷମତା ପ୍ରଦାନ ଯୋଗୁ ନିର୍ବାଚନ କମିଶନଙ୍କ ସ୍ବାଧୀନତା ନୂ୍ୟନ ହୋଇଯିବ ବୋଲି ଦର୍ଶାଇ ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି।
କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ରାଜ୍ୟ ସଭାରେ ଚିଫ୍‌ ଇଲେକ୍ସନ କମିଶନର ଆଣ୍ଡ୍‌ ଅଦର ଇଲେକ୍ସନ କମିଶନର୍ସ (ଆପଏଣ୍ଟମେଣ୍ଟ, କଣ୍ଡିସନ୍ସ ଅଫ୍‌ ଦି ସର୍ଭିସ୍‌ ଆଣ୍ଡ ଟର୍ମ ଅଫ୍‌ ଅଫିସ) ବିଲ୍‌, ୨୦୨୩ ବିଚାର ଓ ଗୃହୀତ କରାଇବା ପାଇଁ ଆଗତ କରିଛନ୍ତି। ବିଧେୟକକୁ ଉପସ୍ଥାପନ କରି ମେଘଓ୍ବାଲ କହିଛନ୍ତି, ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣି କରି ଦେଇଥିବା ରାୟକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବିତ ଆଇନ ଅଣାଯାଉଛି। ୧୯୯୧ର ଆଇନରେ ପରିବର୍ତ୍ତେ କରି ନୂଆ ଆଇନ ଆଣିବା ଲାଗି ଗତ ଅଗଷ୍ଟ ୧୦ରେ ଏହି ବିଲ୍‌ ଆଗତ କରାଯାଇଥିଲା। ତେବେ ଏହା ବିଚାରାଧୀନ ଥିବାରୁ ଗୃହୀତ ହୋଇ ନ ଥିଲା। ୧୯୯୧ର ଆଇନରେ ସିଇସି ଏବଂ ଇସିମାନଙ୍କ ନିଯୁକ୍ତି ସମ୍ପର୍କିତ କୌଣସି ନିୟମ ନ ଥିଲା। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ସିଇସି ଏବଂ ଇସିମାନଙ୍କ ନିଯୁକ୍ତି ଉପରେ ସରକାର ନିଷ୍ପତ୍ତି ନେଇଆସୁଥିଲେ। କିନ୍ତୁ ଏବେ ଏକ ଅନ୍ବେଷଣ ଓ ଚୟନ କମିଟି ଗଠନ କରାଯାଇଛି। ସେହିପରି ସେମାନଙ୍କ ଦରମା ସମ୍ପର୍କରେ ମଧ୍ୟ ଉକ୍ତ ବିଲ୍‌ରେ ଏକ ସଂଶୋଧନ ଅଣାଯାଇଛି। କର୍ତ୍ତବ୍ୟରତ ସିଇସି ଏବଂ ଇସିମାନଙ୍କୁ ସେମାନଙ୍କ ବିରୋଧରେ ନିଆଯାଉଥିବା ଆଇନଗତ କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ଦେବା ପାଇଁ ଏକ ନିୟମ ମଧ୍ୟ ଏହି ବିଧେୟକରେ ରଖାଯାଇଛି।
ଅନ୍ୟପକ୍ଷେ କଂଗ୍ରେସ ଏମ୍‌ପି ରଣଦୀପ ସୂର୍ଯ୍ୟଓ୍ବୋଲା ଏନେଇ କହିଛନ୍ତି, ପ୍ରସ୍ତାବିତ ଆଇନ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪କୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଛି। ଏହାଦ୍ୱାରା ନିର୍ବାଚନ କମିଶନ କାର୍ଯ୍ୟପାଳିକା ଅଧୀନରେ ରହିବେ। ସେହିପରି ନିଯୁକ୍ତି କମିଟିରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ଦ୍ୱାରା ମନୋନୀତ ସଦସ୍ୟମାନେ ରହୁଥିବାରୁ ଏହା ଏକ ‘ଫମ୍ପା ଔପଚାରିକତା’ରେ ପରିଣତ ହୋଇଛି। ଇସିଙ୍କ ସ୍ବାଧୀନତା ନ ରହିଲେ ମୁକ୍ତ ଓ ଅବାଧ ନିର୍ବାଚନ କରାଯାଇପାରିବ ନାହିଁ। ଏପରି ମନ୍ଦ ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାର ଏହି ବିଲ୍‌ ଆଗତ କରିଛନ୍ତି। ସୂର୍ଯ୍ୟଓ୍ବୋଲା ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟ ଦେଇଥିବା ରାୟର ଏକ ପାରା ପଢ଼ିବାକୁ ଯାଉଥିବାବେଳେ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକର ଏଥିରେ ବାଧା ଦେଇଥିଲେ। ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସଦସ୍ୟ ରାଘବ ଚଢ଼ା ବିତର୍କରେ ଭାଗନେଇ କହିଥିଲେ, କିଛି ମାସ ଭିତରେ ସରକାର ଦ୍ୱିତୀୟ ଥର ପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ ପଲଟାଇବାକୁ ଉଦ୍ୟମ କରିଛନ୍ତି। ଏହା ସର୍ବୋଚ୍ଚ ଅଦାଲତଙ୍କ ପ୍ରତି ଅପମାନ। ଏହି ବେଆଇନ ବିଧେୟକ ସମ୍ବିଧାନ ମୌଳିକ ଢାଞ୍ଚା ବିରୋଧୀ। ସରକାରଙ୍କ ସହ ସବୁ କଥାରେ ହଁ ଭରୁଥିବା ଲୋକେ ଏହାଦ୍ୱାରା ଥଇଥାନ ହେବେ। ସେମାନେ ଚାହିଁଲେ ଭାଜପାର ସମ୍ବିତ ପାତ୍ରଙ୍କୁ ମଧ୍ୟ ସିଇସି ନିଯୁକ୍ତ କରିପାରିବେ। ସେ ସିଇସି ହୋଇଗଲେ କେତେ ବିପଜ୍ଜନକ ହେବ ବୋଲି ଚଢ଼ା କହିଥିଲେ। ତୃଣମୂଳ କଂଗ୍ରେସ ସଦସ୍ୟ ଜହାର ସିରକାରଙ୍କ ମତରେ ସିଇସି ଏବଂ ଇସିମାନଙ୍କ ପାହ୍ୟାକୁ ଜାଣିଶୁଣି କ୍ୟାବିନେଟ୍‌ ସଚିବ ପଦଠୁ ତଳକୁ ଖସାଯାଉଛି। ସେମାନେ ଏପରି କରି ରିଗିଂକୁ ଆଇନଗତ ବୈଧତା ପ୍ରଦାନର ଉଦ୍ୟମ ଚଳାଇଛନ୍ତି। ଡିଏମ୍‌କେର ତିରୁଚି ଶିବା ମଧ୍ୟ ବିଲ୍‌କୁ ବିରୋଧକରି ଏହାକୁ ସିଲେକ୍ଟ କମିଟି ନିକଟକୁ ସମୀକ୍ଷା ପାଇଁ ପଠାଯାଉ ବୋଲି ଦାବି କରିଥିଲେ। ବିଜେଡି ସଦସ୍ୟ ଅମର ପଟ୍ଟନାୟକ ବିଲ୍‌ ସପକ୍ଷରେ କହିଥିଲେ, ନୂଆ ନିଯୁକ୍ତି ପ୍ରକ୍ରିୟା ଯୋଗୁ ଇସିଙ୍କ କାର୍ଯ୍ୟ ପ୍ରଭାବିତ ହେବ ନାହିଁ। ୧୯୮୯ ପରେ ଦେଶରେ କୌଣସି ଦଳ ପୂର୍ଣ୍ଣ ବହୁମତ ପାଇ ନ ଥିଲେ ମଧ୍ୟ କମିଶନମାନେ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା କରିଆସୁଥିଲେ। ତେବେ ବର୍ତ୍ତମାନ ଅଣାଯାଇଥିବା ବିଲ୍‌ରେ କମିଶନରଙ୍କୁ ଅଯୋଗ୍ୟ ଘୋଷଣା କରିବା ସମ୍ପର୍କିତ ନିୟମ ଉପରେ ଅମର ସ୍ପଷ୍ଟୀକରଣ ଲୋଡ଼ିଥିଲେ। ଏହାର ଜବାବରେ ମେଘଓ୍ବାଲ କହିଥିଲେ, ସୁପ୍ରିମକୋର୍ଟଙ୍କ ରାୟକୁ ଦୃଷ୍ଟିରେ ରଖି ଏହି ବିଧେୟକ ଅଣାଯାଇଛି।

Share