Categories: ଜାତୀୟ

ବସ୍‌ ଅପହରଣକାରୀଙ୍କୁ ଏନ୍‌କାଉଣ୍ଟର

ନୂଆଦିଲ୍ଲୀ, ୨୦।୮: ଉତ୍ତରପ୍ରଦେଶ ଆଗ୍ରାର ମଲପୁରା ଅଞ୍ଚଳର ନ୍ୟୁ ଦକ୍ଷିଣୀ ବାଇପାସ୍‌ ନିକଟସ୍ଥ ରାୟଭା ଟୋଲ୍‌ ପ୍ଲାଜାଠାରୁ ଅପହରଣ କରାଯାଇଥିବା ଏକ ଯାତ୍ରୀବାହୀ ବସ୍‌ ଘଟଣାରେ ନୂଆ ମୋଡ଼ ଆସିଛି। ଗୁରୁବାର ପୋଲିସ ଏବଂ ଅପହରଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଫତେହାବାଦ୍‌ ଥାନା ଅଞ୍ଚଳରେ ଚେକିଂ ସମୟରେ ଅପହରଣକାରୀମାନେ ପୋଲିସ ଉପରକୁ ଗୁଳି ମାଡ଼ କରିଥିଲେ। ଏହର ଜବାବରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏଥିରେ ଜଣେ ଅପହରଣକାରୀଙ୍କ ଗୋଡ଼ରେ ଗୁଳି ବାଜିଥିଲା। ପ୍ରଦୀପ ଗୁପ୍ତା ନାମକ ଏହି ଅପହରଣକାରୀଙ୍କୁ ଆହତ ଅବସ୍ଥାରେ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୮-୯ ଜଣ ଅଚିହ୍ନା ବ୍ୟକ୍ତି ଜାଇଲୋ ଗାଡ଼ିରେ ଆସି ଏକ କଳ୍ପନା ଟ୍ରାଭେଲ୍‌ ଲେଖାଥିବା ଯାତ୍ରୀବାହୀ ବସ୍‌କୁ ରାଜରାସ୍ତାରୁ ଅପହରଣ କରି ନେଇଥିଲେ। ବସ୍‌ରେ ୩୪ ଜଣ ଯାତ୍ରୀ ଥିଲେ। ପରେ ଅପହରଣକାରୀ ବସ୍‌ର ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଓହ୍ଲାଇ ଦେଇଥିଲେ। କଳ୍ପନା ଟ୍ରାଭେଲ୍‌ ମାଲିକ ଗୋଓ୍ବାଲିୟରରେ ରୁହନ୍ତି। ମଙ୍ଗଳବାର ତାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ଅପହରଣକାରୀ କିସ୍ତି ସୁଝା ଯାଇ ନ ଥିବା କହି ଡ୍ରାଇଭରକୁ ଓହ୍ଲାଇ ବସ୍‌ ନେଇ ଯାଇଥିଲେ। ପରେ ଯାତ୍ରୀଙ୍କୁ ବସ୍‌ରୁ ଓହ୍ଲାଇ ଅନ୍ୟ ବସ୍‌ରେ ଝାନ୍ସୀ ପଠାଇ ଦିଆଯାଇଥିବା କୁହାଯାଉଛି। ଅନ୍ୟ ଅପହରଣକାରୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଖୋଳତାଡ଼  ଜାରି ରହିଛି।

Share