Categories: ଜାତୀୟ

ଅନୁଧ୍ୟାନ ପାଇଁ କମିଟି ଗଠନ କଲା କେନ୍ଦ୍ର

ନୂଆଦିଲ୍ଲୀ,୮ା୧୦: ଅଣହିନ୍ଦୁ ଦଳିତଙ୍କୁ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ ଲାଗି ଦୀର୍ଘଦିନରୁ ହେଉଥିବା ଦାବି ଉପରେ ଅନୁଧ୍ୟାନ କରିବା ଲାଗି କେନ୍ଦ୍ର ସରକାର ପୂର୍ବତନ ସିଜେଆଇ କେ.ଜି. ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରିଛନ୍ତି। ଏହି ୩ ଜଣିଆ କମିଶନ୍‌ର ଅନ୍ୟ ୨ ସଦସ୍ୟ ହେଲେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଡ. ରବୀନ୍ଦ୍ର କୁମାର ଜୈନ ଏବଂ ୟୁଜିସି ସଦସ୍ୟ ପ୍ରଫେସର ସୁଷମା ଯାଦବ। ସମ୍ବିଧାନ (ଅନୁସୂଚିତ ଜାତି) ନିର୍ଦ୍ଦେଶାବଳୀ, ୧୯୫୦ ଅନୁଯାୟୀ ହିନ୍ଦୁ, ଶିଖ୍‌ କିମ୍ବା ବୌଦ୍ଧ ଧର୍ମାବଲମ୍ବୀଙ୍କ ବ୍ୟତୀତ ଅନ୍ୟ ଧର୍ମର ଲୋକଙ୍କୁ ଅନୁସୂଚିତ ଜାତି ମାନ୍ୟତା ପାଇପାରିବେ ନାହିଁ। ତେବେ ଧର୍ମ ପରିବର୍ତ୍ତନ କରିଥିବା ମୁସଲମାନ ଏବଂ ଖ୍ରୀଷ୍ଟିଆନ ଧର୍ମର ଦଳିତମାନଙ୍କୁ ଅନୁରୂପ ମାନ୍ୟତା ପ୍ରଦାନ ଲାଗି ଦାବି ହୋଇଆସୁଥିବାବେଳେ ଭାଜପା ଏହାକୁ ବିରୋଧ କରୁଛି। ଅନ୍ୟ ସମ୍ପ୍ରଦାୟର ଦଳିତଙ୍କୁ ଅନୁସୂଚିତ ଜାତି ମାନ୍ୟତା ଦିଆଯାଇପାରିବ କି ନାହିଁ, ତାହା ଉପରେ କମିଶନ ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ଯଦି ସେମାନଙ୍କୁ ଅନୁରୂପ ମାନ୍ୟତା ଦେବା ଲାଗି ନିଷ୍ପତ୍ତି ହୁଏ, ତେବେ ତାହା କିପରି କାର୍ଯ୍ୟକାରୀ କରାଯିବ, ତାହା ଉପରେ ମଧ୍ୟ କମିଶନ ଅନୁଧ୍ୟାନ କରିବେ।

Share