ମାପ ଓଜନରେ ବ୍ୟାପକ ଠକେଇ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ଗତ ୨ ବର୍ଷରେ ମାପ ଓ ଓଜନ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୨ କୋଟି ୮୩ ଲକ୍ଷ ୬୮ ହଜାର ୩୬୫ ଟଙ୍କା ଆଦାୟ ହୋଇଛି । ୨୦୧୯-୨୦ରେ ୧ କୋଟି ୩୧ ଲକ୍ଷ ୯୪ ହଜାର ୬୧୫ ଟଙ୍କାର ଜରିମାନା ଆଦାୟ ହୋଇଛି । ଉକ୍ତ ବର୍ଷ ୫୭୦୧ ମାମଲା ମଧ୍ୟ ରୁଜୁ ହୋଇଛି । ସେହିପରି ୨୦୨୦-୨୧ରେ ୪୨୯୦ ମାମଲା ରୁଜୁ ହୋଇଥିବା ବେଳେ ୧ କୋଟି ୧୧ ଲକ୍ଷ ୨୮ ହଜାର ୩୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ୨୦୨୧ ଅକ୍ଟୋବର ସୁଦ୍ଧା ୧୯୦୪ ମାମଲା ହୋଇଥିବା ବେଳେ ୪୦ ଲକ୍ଷ ୪୫ ହଜାର ୨୦ ଟଙ୍କା ଜରିମାନା ଆଦାୟ ହୋଇଛି ।
ସେହିପରି ମାପ ଏବଂ ଓଜନରେ ଠକିଥିବା ୧୭୪ ସୁନା ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ ହୋଇ ୩ ଲକ୍ଷ ୮୪ ହଜାର ୮୮୦ ଟଙ୍କା ଆଦାୟ ହୋଇଥିବା ବେଳେ ୮୦ଟି ପେଟ୍ରୋଲ ପମ୍ପ ବିରୋଧରେ ମାମଲା ରୁଜୁ କରାଯାଇ ୭ ଲକ୍ଷ ୨୫ ହଜାର ୫୦୦ ଟଙ୍କା, ୧୯୬ ମସଲା ଦୋକାନ ବିରୋଧରେ ମାମଲା ରୁଜୁ କରାଯାଇ ୧,୬୬,୦୫୦ ଟଙ୍କା ଜରିମାନା ଆଦାୟ ହୋଇଛି । ସେହିପରି ୧୧୩ ପନିପରିବା ଦୋକାନୀ, ୧୪ ସିମେଣ୍ଟ ଗୋଦାମ ଓଜନରେ ଠକିଛନ୍ତି । ବିଜେଡି ସଭ୍ୟ ଚକ୍ରମଣି କଅଁରଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବୁଧବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

Share