ନୂଆଦିଲ୍ଲୀ,୨୬।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମାରକୀ ‘ସଦୈବ ଅଟଳ’ରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ ରାହୁଲ ଦେଶର ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବର୍ତ୍ତମାନ ଏହାକୁ ଏକ ପ୍ରସଙ୍ଗ କରି ଭାଜପା ମୁଖପାତ୍ର ଗୌରବ ଭାଟିଆ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଏଥିସହ ସେ ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ସେମାନଙ୍କ ଉପରେ ବର୍ଷିିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଡ୍ରାମା କରୁଛନ୍ତି। ଗୋଟିଏ ପଟେ ରାହୁଲ ‘ସଦୈବ ଅଟଳ’ ସ୍ମାରକୀକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଅନ୍ୟପଟେ ଦଳର ନେତାମାନେ ତାଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରୁଛନ୍ତି। ଏହା ଦର୍ଶାଉଛି ଆପଣଙ୍କ ଭିତରେ କେତେ ବିଷ ରହିଛି। ଅନ୍ୟପଟେ ଭାଜପା ନେତା ଶେହଜାଦ ପୁନାୱାଲା ମଧ୍ୟ ଏହାକୁ ନେଇ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଯଦି ରାହୁଲ ଗାନ୍ଧୀ ବାସ୍ତବରେ ବାଜପେୟୀଙ୍କୁ ସମ୍ମାନ ଜଣାଉଛନ୍ତି, ତେବେ ଗୌରବ ପାନ୍ଧିଙ୍କ ମନ୍ତବ୍ୟ ପାଇଁ କଂଗ୍ରେସ କ୍ଷମା ମାଗିବା ଉଚିତ। ଭାଜପା ଏହାକୁ କଂଗ୍ରେସର କପଟ ବୋଲି କହିବା ସହ ରାହୁଲ ସମ୍ମାନର ବାହାନା କରୁଛନ୍ତି ବୋଲି କହିଛି। ସୂଚନାଯୋଗ୍ୟ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସଂଯୋଜକ ଗୌରବ ପାନ୍ଧିି ବିବାଦୀୟ ଟୁଇଟ କରି ବାଜପେୟୀଙ୍କୁ ବ୍ରିଟିଶର ସୂଚନାଦାତା ବୋଲି କହିଥିଲେ।