ଖୁସି ଖବର: ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଟିକା ପ୍ରାଣୀଙ୍କଠାରେ ସଫଳ

ନୂଆଦିଲ୍ଲୀ, ୧୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ହାଇଦ୍ରାବାଦ୍‌ ସ୍ଥିତ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍‌ କରୋନା ଟିକା ପ୍ରାଣୀଙ୍କଠାରେ ସଫଳ ହୋଇଛି। ଏହାର ପରୀକ୍ଷଣ ବେଶ୍‌ ଉତ୍ସାହ ଜନକ ରହିଛି। ଏବେ ଏହି ଟିକାକୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରାଯାଇଛି। ମାଙ୍କଡ଼ଙ୍କ ୪ ଦଳ ଉପରେ ଏହାର ପରୀକ୍ଷା କରାଯାଇଛି। ଗୋଟିଏ ଦଳର ପ୍ଲାସେବୋକୁ ଯାଞ୍ଚ୍‌ କରାଯାଇଥିଲା। ଅନ୍ୟ ୩ ଦଳଙ୍କ ଉପରେ ୧୪ ଦିନ ମଧ୍ୟରେ ୩ ପ୍ରକାର ଭିନ୍ନ ଭିନ୍ନ ଟିକା ଦିଆଯାଇଥିଲା। ୧୪ ଦିନ ପରେ ଦ୍ୱିତୀୟ ଡୋଜ୍‌ ଦିଆଯାଇଥିଲା। ଯେଉଁ ମାଙ୍କଡ଼ଙ୍କୁ ଟିକା ଦିଆଯାଇଥିଲା ସେମାନଙ୍କ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିଲା। ହିଷ୍ଟୋପାଥୋଲୋଜିକାଲ ପରୀକ୍ଷାରେ ସେମାନଙ୍କଠାରେ ନିମୋନିଆର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ଆଇସିଏମ୍‌ଆର୍‌ ରିପୋର୍ଟ ଅନୁସାରେ ଦେଶରେ ୩ଟି ଟିକାର ପରୀକ୍ଷଣ କରାଯାଉଛି। ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଭାଗ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଅଧାରୁ ବନ୍ଦ ରହିଛି। ଏବେ ଭାରତ ବାୟୋଟେକ୍‌ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ। ସେହିପରି ଜେଡସ୍‌ କେଡ଼ିଲାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ ୫୦ ଜଣଙ୍କଠାରେ ଟିକାର ପ୍ରୟୋଗ କରାଯାଇଛି।

Share