Categories: ଜାତୀୟ

ଲାଲୁ ପ୍ରସାଦଙ୍କ ଶାସନକାଳକୁ ଯଦି ‘ଜଙ୍ଗଲ ରାଜ’ କୁହାଯାଉଛି ତେବେ ଏବେକା ଶାସନ ହେଉଛି ‘ରାକ୍ଷସ ରାଜ’: ତେଜସ୍ୱୀ

ପାଟନା,୨୫ ।୯: ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଶୁକ୍ରବାର ତାରିଖ ଘୋଷଣା କରିଛନ୍ତି । ଏହାପରେ ପୁଣିଥରେ ରାଜନୈତିକ ମହଲରେ ଉଷ୍ମତା ପରିଲକ୍ଷିତ ହୋଇଛି । ଏଥର ଲାଲୁ ପ୍ରସାଦ ଯାଦବଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ବିଜୟ ଲକ୍ଷ ରଖିଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ (ଜେଡିୟୁ) ଭାରତୀୟ ଜନତା ପାର୍ଟି(ଭାଜପା) ସହ ମିଶି ବିଜୟ ଲାଭ କରିବ ବୋଲି ଆଶା ରଖିଛି । ଶୁକ୍ରବାର ଏକ ପ୍ରଶ୍ନର ଉତ୍ତରରେ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କୁ ପଚରା ଯାଇଥିଲା ଏଥର ସେ ‘ଜଙ୍ଗଲ ରାଜ’କୁ ନେଇ ଜନତାଙ୍କୁ କ୍ଷମା ମାଗିବେକି । ଏହାର ଉତ୍ତରରେ ତେଜସ୍ୱୀ କହିଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ଶାସନାଳକୁ ଯଦି ଜଙ୍ଗଲ ରାଜ କୁହାଯାଉଛି ତେବେ ଏବେକାର ଶାସନ ହେଉଛି ରାକ୍ଷସ ରାଜ । ସେ କହିଛନ୍ତି ଲାଲୁ ପ୍ରସାଦଙ୍କ ଦଳ ଆର୍‌ଜେଡି ଯେତେବେଳେ କ୍ଷମତାକୁ ଆସିଥିଲା ସେତେବେଳେ ପ୍ରଥମ ଦିନରେ ହିଁ ୧୦ ଲକ୍ଷ ରୋଜଗାର ଯୋଗାଇ ଦେଇଥିଲା । ତାଙ୍କ ଦଳ ଗରିବ, ବେରୋଜଗାର, କୃଷକ, ଶ୍ରମିକଙ୍କ ପାଇଁ କାମ କରୁଥିଲା । ହେଲେ ଏବେ ବିହାରରେ ବେକାରଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବା ବେଳେ ଏଠାରେ ପ୍ରତି ଚାରିଘଣ୍ଟାରେ ଗୋଟିଏ ହତ୍ୟା ଓ ବଳାତ୍କାର ମାମଲା ସାମ୍ନାକୁ ଆସୁଛି । ତେଣୁ ବିହାର ଜନତା ଏବେ ପରିବର୍ତ୍ତନ ଚାହିଁଲେଣି । ନିର୍ବାଚନ କମିଶନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ତାରିଖକୁ ବିହାରବାସୀ ସ୍ୱାଗତ କରିଛନ୍ତି ବୋଲି ସେ କହିଛନ୍ତି ।

Share