Categories: ଜାତୀୟ

୫ ବର୍ଷରେ ଦେଶରେ ୧୫ ଏମ୍ସ୍‌-୬ ଆଇଆଇଟି ସ୍ଥାପିତ ହୋଇଛି: ମୋଦି

ନୂଆଦିଲ୍ଲୀ, ୧୯।୧୦: ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ବହୁ ବିକାଶ କାର୍ଯ୍ୟ କରିଛନ୍ତି। ୨୦୧୪ଠାରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୧୫ଟି ନୂଆ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ୍‌) ସ୍ଥାପିତ ହୋଇଛି। ସେହିପରି ୬ଟି ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଟି) ମଧ୍ୟ ସ୍ଥାପିତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସୋମବାର ମହୀଶୂର ବିଶ୍ୱବିଦ୍ୟାଳୟର ଶତାବ୍ଦୀ ଦିକ୍ଷାନ୍ତ ସମାରୋହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ସେ ଏଭଳି କହିଛନ୍ତି। ୨୦୧୪ ପୂର୍ବରୁ ଦେଶରେ ୭ଟି ଏମ୍ସ୍‌ ଥିଲା। ସେହିପରି ଆଇଆଇଟି ସଂଖ୍ୟା ୧୬ ଥିଲା। ଏବେ ଏମ୍ସ୍‌ ସଂଖ୍ୟା ୨୨ ଛୁଇଁଥିବାବେଳେ ଆଇଆଇଟି ସଂଖ୍ୟା ୨୨ରେ ପହଞ୍ଚିଛି। ଦେଶରେ ପୂର୍ବରୁ ୧୩ଟି ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ୍‌(ଆଇଆଇଏମ୍‌) ଥିଲା। ଗତ ୫ ବର୍ଷରେ ୭ଟି ନୂଆ ଆଇଆଇଏମ୍‌ ସ୍ଥାପିତ ହୋଇଛି। ଫଳରେ ଏବେ ଆଇଆଇଏମ୍‌ ସଂଖ୍ୟା ୨୦ ଛୁଇଁଛି। ସେହିପରି ଦେଶରେ ପୂର୍ବରୁ ୯ଟି ସୂଚନା ଏବଂ ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଆଇଟି) ଥିଲା। ମାତ୍ର ଗତ ୫ ବର୍ଷ ମଧ୍ୟରେ ୧୬ଟି ନୂଆ ଆଇଆଇଆଇଟି ସ୍ଥାପିତ ହୋଇଛି। ଏହାଦ୍ୱାରା ଆଇଆଇଆଇଟି ସଂଖ୍ୟା ଏବେ ୨୫ରେ ପହଞ୍ଚିଛି। ପୂର୍ବରୁ ଆଇଆଇଟିରେ ଛାତ୍ରୀଙ୍କ ସଂଖ୍ୟା ୮ ପ୍ରତିଶତ ଥିବାବେଳେ ଗତ ୫ ବର୍ଷ ମଧ୍ୟରେ ଏହା ୨୦ ପ୍ରତିଶତରେ ପହଞ୍ଚିଛି। ଏପରିସ୍ଥଳେ ନୂଆ ଶିକ୍ଷାନୀତି ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବ। ଏହାଦ୍ୱାରା ନର୍ସରୀଠାରୁ ଆରମ୍ଭ କରି ପିଏଚଡ଼ି ପର୍ଯ୍ୟନ୍ତ ଶିକ୍ଷାକ୍ଷେତ୍ରରେ ବହୁ ପରିବର୍ତ୍ତନ ଆସିବ ବୋଲି ମୋଦି କହିଛନ୍ତି।

Share