ଗୋଟିଏ ଦିନ ପରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ଛୁଇଁବା ଆଶଙ୍କା

ନୂଆଦିଲ୍ଲୀ, ୧୯।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ଟପିବାର ଆଶଙ୍କା ଦେଖାଦେଇଛି। ରବିବାର ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୬୧୮ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୨୬ ହଜାର ୮୧୬ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮ ହଜାର ୯୦୨ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୫୪୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ୬ ଲକ୍ଷ ୭୭ ହଜାର ୪୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩ଲକ୍ଷ ୭୩ ହଜାର ୩୭୯ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଇତିମଧ୍ୟରେ ଜୁଲାଇ ୧୮ସୁଦ୍ଧା କୋଟିଏ ୩୭ ଲକ୍ଷ ୯୧ ହଜାର ୮୬୯ ଜଣଙ୍କ ନମୁନା ପରୀକ୍ଷା ହୋଇସାରିଛି। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୫୮ ହଜାର ୧୨୭ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share