ନୂଆଦିଲ୍ଲୀ: ଦେବାଳିଆ ହୋଇଯାଇଥିବା ବିମାନ କମ୍ପାନୀ ଜେଟ୍ ଏୟାରଓ୍ବେଜ ପୁଣି ଥରେ ଉଡ଼ାଣ ଭରିବା ଲାଗି ପ୍ରସ୍ତୁତ ହେଉଛି। ଏହି କମ୍ପାନୀ ଆସନ୍ତା ଗ୍ରୀଷ୍ଣ ସମୟ ସୁଦ୍ଧା ପୁଣି ଥରେ ବିମାନ ସେବା ଯୋଗାଇ ଦେବାର ବିଶେଷ ସମ୍ଭାବନା ରହିଛି। ଆର୍ଥତ୍କ ସମସ୍ୟା ଯୋଗୁ ପ୍ରାୟ ୨ ବର୍ଷ ହେବ ଏହି ବିମାନ କମ୍ପାନୀ ବନ୍ଦ ହୋଇ ପଡିଛି। ଏହାର ପୁନଃ କାର୍ଯ୍ୟକ୍ଷମ କରାଇବା ଲାଗି ଏହାର ରିଜୋଲ୍ୟୁଶନ କାର୍ଯ୍ୟପନ୍ଥା ହାତକୁ ନିଆଯାଇଛି। ଜଲାନ-କାଲରକ କନ୍ସୋର୍ଟିୟମ ଏହି ବିମାନ କମ୍ପାନୀକୁ ଚଳାଇବା ଲାଗି ବିଡ୍ ହାସଲ କରିଛନ୍ତି। ଏମାନଙ୍କ ସହ ଜେଟ୍କୁ ଋଣ ପ୍ରଦାନ କରିଥିବା ସଂସ୍ଥାଗୁଡିକ ମଧ୍ୟ ଅଛନ୍ତି। ସମସ୍ତ ନିୟାମକ ମଞ୍ଜୁରୀ ମିଳିବା ପରେ କମ୍ପାନୀ ପୁଣି ଥରେ ସେବା ଯୋଗାଇବା ଉପରେ ଫୋକସ କରିବ ବୋଲି ସୂଚନା ରହିଛି। ଦେଶ ମଧ୍ୟରେ ସବୁ ସ୍ଲଟ୍ ଏବଂ ଅନ୍ତର୍ଜାତୀୟ ରୁଟ୍ରେ ଏହା ସେବା ଯୋଗାଣ ନେଇ ମଧ୍ୟ ଯୋଜନା ରଖିଛି। ସବୁ କିଛି କାମ ଯୋଜନା ମୁତାବକ ହେଲେ ଏହା ୨୦୨୧ ଏପ୍ରିଲ ବେଳକୁ ପୁଣି ଥରେ ଯାତ୍ରୀଙ୍କୁ ସେବା ଯୋଗାଇଦେବ ବୋଲି ସୂଚନା ରହିଛି।