କେନ୍ଦୁଝର, ୧୬ା୧୨ (ସ୍ବ.ପ୍ର)-ବିଚିତ୍ର ଏ ଦୁନିଆ । ବଣଜଙ୍ଗଲ ସମସ୍ତଙ୍କ ପାଇଁ ଭରି ଦେଇଛି ଖାଦ୍ୟ । ବନବାସୀ ମାନେ ଜଙ୍ଗଲରୁ ସଂଗୃହୀତ ଫଳମୂଳ ଖାଇବା ସହିତ କେତେକ କୀଟପତଙ୍ଗ ଖାଇବାକୁ ପସନ୍ଦ କରନ୍ତି। ତନ୍ମଧ୍ୟରୁ କଲେଇ, କାଇ ବା କୁରୁକୁଟି ଅନ୍ୟତମ। ବର୍ଷା ଋତୁରେ କଲେଇ ପୋକ ମିଳିଥାଏ। କିନ୍ତୁ ଏହି ଋତୁରେ ପର୍ଯ୍ୟାପ୍ତ ପରିମାଣରେ କୁରୁକୁଟି ମିଳିଥାଏ। ବଣଜଙ୍ଗଲରେ ଓ ଗ୍ରାମାଞ୍ଚଳରେ ଏହାର ଚାହିଦା ଅଧିକ ଥିଲେ ହେଁ ସହରାଞ୍ଚଳରେ ମଧ୍ୟ ଏହାର ଚାହିଦା ଅଧିକ ରହିଛି। ଆଜିକାଲି ସହରାଞ୍ଚଳରେ ଏହା ବହୁ ପରିମାଣରେ ହାଟବଜାର, ରାସ୍ତାକଡରେ ବସବାସୀ ମାନେ ଶାଳ ପତରରେ ପସରା ମେଲାଇ ବିକିଥାନ୍ତି। ଭାଗ ୧୦ ଟଙ୍କାରେ ବିକି ଅନେକ ପରିବାର ଗୁରୁଜୁରାଣ ମେଣ୍ଟାଇଥାନ୍ତି। କୁରୁକୁଟିର ସ୍ବାଦ ଆମ୍ବିଳିଆ। ପଖାଳ ଭାତ ବା ହାଣ୍ଡିଆ ସହିତ ଖାଇଥାଉ ବୋଲି ସନାତନ ମୁଣ୍ଡା କହିଛନ୍ତି। ଏଥିରେ ଔଷଧୀୟ ଗୁଣ ରହିଛି ା ଏଣୁ ବନବାସୀ ମାନେ ଏହାକୁ ପାଟି ସୁଆଦିଆ ପାଇଁ ଖାଇବା ସହ କେତେକ ରୋଗ ନିରାକରଣ ପାଇଁ ଖାଇଥାନ୍ତି ବୋଲି ବୈଦ୍ୟ ବିଷାରଦ ହରେକୃଷ୍ଣ ମହାନ୍ତ କୁହନ୍ତି। ଏହି ସମୟରେ କୁରୁକୁଟି ବିଭିନ୍ନ ଗଛ ଡାଳରେ ବସା ବାନ୍ଧିଥାନ୍ତି। ଗଛ ଡାଳରେ ପତ୍ରକୁ ବାନ୍ଧି ଠୋଲା ଆକରର ତିଆରି କରି ଏହା ଭିତରେ ଅଣ୍ଡା ଦେଇଥାନ୍ତି ା ଲକ୍ଷ ଲକ୍ଷ ସଂଖ୍ୟାରେ ଧଳା ଧଳା ଅଣ୍ଡା ଦେଇଥାନ୍ତି ଯାହାକି ଭାତ ସଦୃଶ୍ୟ ଦେଖାଯାଇଥାଏ ା ଏହି ବସାକୁ ସାବଧାନତାର ସହ ତଳକୁ ଆଣିଥାନ୍ତି। ତେବେ ନିଜର ସୁରକ୍ଷା ପାଇଁ କୁରୁକୁଟି ମାନେ କାମୁଡିଥାନ୍ତି। ଏହି ଅଣ୍ଡାକୁ ସ୍ଥାନୀୟ ଲୋକ ଭାତ ବୋଲି କହିଥାନ୍ତି। ଏହାକୁ ସେମାନେ ରାନ୍ଧି ଖାଇଥାନ୍ତି। ସେହିପରି କୁରୁକୁଟିକୁ ମଧ୍ୟ ଅନେକ ଆଚାର କରି ଭବିଷ୍ୟତ ପାଇଁ ସାଇତି ରଖି ଖାଇଥାନ୍ତି।