କେନ୍ଦୁଝର,୨୨ା୩(ସ୍ବ.ପ୍ର.): ସ୍ଥାନୀୟ ଜିଲା ଦୌରାଜଜ୍ ଚିତ୍ତରଞ୍ଜନ ମହାପାତ୍ର ବୁଧବାର ଏକ ହତ୍ୟା ଘଟଣାର ଶୁଣାଣି କରି ଜଣେ ସ୍ତ୍ରୀ ହନ୍ତା ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ତାଙ୍କ ନାମ ଯଦୁ ମହାକୁଡ଼ (୩୪)। ମୃତ ସ୍ତ୍ରୀଙ୍କ ନାମ ବିନିତା ମହାକୁଡ଼ (୨୮) । ଏହି ହତ୍ୟା ଘଟଣାଟି ୨୦୧୦ ଅକ୍ଟୋବର ୨୩ ରାତିରେ ନୟାକୋଟ ଥାନା ଅଞ୍ଚଳରେ ଘଟିଥିଲା।
ପ୍ରକାଶ ଯେ, ଯଦୁ ସବୁ ବେଳେ ସ୍ତ୍ରୀ ବିନିତାଙ୍କର ଅନ୍ୟ ପୁରୁଷ ସହ ସମ୍ପର୍କ ଥିବା ନେଇ ତାଙ୍କ ଚରିତ୍ରକୁ ନେଇ ସନ୍ଦେହ କରି ଆସୁଥିଲେ। ଏହାକୁ ନେଇ ଘଟଣା ଦିନ ରାତିରେ ଏକ କୁରାଢ଼ିରେ ବିନିତାଙ୍କୁ ହାଣି ହତ୍ୟା କରି ଫେରାର ହୋଇଯାଇଥିଲେ। ଏହାକୁ ନେଇ ନୟାକୋଟ ଥାନା ପୋଲିସ କେସ୍ ନଂ ୬୧ା୨୦୨୦ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା। ଦୁଇ ଦିନ ପରେ ଅଭିଯୁକ୍ତ ଯଦୁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୋଲିସ ତଦନ୍ତ ରିପୋର୍ଟ ଓ ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ମାନ୍ୟବର କୋର୍ଟ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଫାଇନ୍ ଆଦେଶ କରିଥିବା ପବ୍ଲିକ୍ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦାସ କହିଛନ୍ତି।