ବଡ଼ବିଲ, ୧୬।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଚୋରା ମାଙ୍ଗାନିଜ ବୋଝେଇ ଏକ ଟ୍ରକ୍ ସହ ବାଇକ୍କୁ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୭ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଗୁଜରାଟ ରାଜ୍ୟ ବେହରାମପୁରା ଗ୍ରାମର ଜଫର ଉସମାନ୍ ସେଖ୍, ବିହାର ରାଜ୍ୟ ସମସ୍ତିପୁର ଜିଲା ସସନ ଗ୍ରାମର ଦିନେଶ ସାହାଣି, ସମ୍ବଲପୁର ଜିଲା ରେଙ୍ଗାଳି ଥାନା ଅନ୍ତର୍ଗତ ଗଣେଶ ନଗର ଅଞ୍ଚଳର ସୁଜିତ କୁମାର ସାହୁ, ଯାଜପୁର ଜିଲା ଚଣ୍ଡିଖୋଲ ଅଞ୍ଚଳର ରଞ୍ଜନ ଶର୍ମା, କାଟେସାହି ଗ୍ରାମର ଅଜିତ କୁମାର ପାତ୍ର, ଚୋରମାଲଦା ଅଞ୍ଚଳର ଜୟମଙ୍ଗଲ ମୁଣ୍ଡା ଏବଂ ସାଧୁସିଂହ ହଟିଂ ଅଞ୍ଚଳର ମହମ୍ମଦ ରଫିକ୍।
ଅନୁଯାୟୀ, ଶନିବାର ରାତିରେ ବିଶେଷ ସୂତ୍ରରୁ ଖବର ପାଇ ବଡବିଲ ଥାନା ଆଇଆଇସି ସୁଶାନ୍ତ ଦାଶ, ଏସଆଇ ବରଦା ସାହୁ ସଦଳବଳ ଜାତୀୟ ରାଜପଥର ଟଣ୍ଟୋ ଠାରେ ପହଞ୍ଚି ରୁଗୁଡି ଆଡୁ ଆସୁଥିବା ଟ୍ରକ୍କୁ ଅଟକାଇଥିଲେ। ଟ୍ରକ୍ ଅଟକାଇବା ଦେଖି ବାଇକ୍ ଛାଡି ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲାବେଳେ ପୋଲିସ ଯାଞ୍ଚ କରି ଟ୍ରକ୍ରେ ବୋଝେଇ ହୋଇଥିବା ମାଙ୍ଗାନିଜ ଚୋରାଚାଲାଣ ହେଉଥିବା ଜଣାପଡିଥିଲା। ପୋଲିସ ଘଟଣାସ୍ଥଳରୁ ପ୍ରାୟ ୨୦ ମେଟ୍ରିକ ଟନ୍ ମାଙ୍ଗାନିଜ ବୋଝେଇ ଟ୍ରକ୍ ସହ ବାଇକଟିକୁ ଜବତ କରିଥିଲା। ସେମାନଙ୍କ ନିକଟରୁ ପୋଲିସ ନଗଦ ୫୫ ହଜାର ଟଙ୍କା, ୮ଟି ମୋବାଇଲକୁ ମଧ୍ୟ ଜବତ କରିଛି। ସୁନ୍ଦରଗଡ ଜିଲା କୋଇଡ଼ା ଥାନା ମାଲଦା ଅଞ୍ଚଳରୁ ବେଆଇନ ମାଙ୍ଗାନିଜ ଉତ୍ତୋଳନ କରାଯାଇ ଛତିଶଗଡ ରାଜ୍ୟ ହଜାରିବାଗ ଅଞ୍ଚଳକୁ ଚୋରାଚାଲାଣ ହେଉଥିଲା। ପୋଲିସ ଏ ନେଇ ଏକ ମାମଲା (ନଂ. ୮୬/୨୦୨୨) ରୁଜୁ କରି ଅଭିଯୁକ୍ତଙ୍କୁ ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି।