୪ ଦିନରେ ଲକ୍ଷେ ନୂଆ ଆକ୍ରାନ୍ତ: ଭାରତ ଉପରେ କରୋନା ସଙ୍କଟ

ନୂଆଦିଲ୍ଲୀ, ୧୧।୭: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁବା ପାଇଁ ୧୧୦ ଦିନ ସମୟ ନେଇଥିଲା। ତେବେ ଗତ ୪ ଦିନ ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ବୃଦ୍ଧି ପାଇ ୭ରୁ ୮ ଲକ୍ଷରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷରୁ ୭ ଲକ୍ଷରେ ପହଞ୍ଚିବା ପାଇଁ ୫ ଦିନ ସମୟ ଲାଗିଥିଲା। ପ୍ରତିଦିନ ହାରାହାରି ୨୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷରେ ପହଞ୍ଚିବା ପାଇଁ ୧୬୩ ଦିନ ସମୟ ଲାଗିଛି। ଏହି ଧାରା ଜାରି ରହିଲେ ଦେଶରେ ଆସନ୍ତା ୨୦ ଦିନ ମଧ୍ୟରେ ପ୍ରତି ୨ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଦେଶର ପ୍ରତି ୧୦ ଲକ୍ଷ ଜନସଂଖ୍ୟା ମଧ୍ୟରୁ ୫୭୮ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ସେହିପରି ପ୍ରତି ୧୦ ଲକ୍ଷରେ ୧୬ ଜଣଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ଘଟୁଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅଞ୍ଚଳରେ ଅପରପକ୍ଷରେ ଭାରତରେ କରୋନା ସଂକ୍ରମଣ ହାର ଅନ୍ୟ ବିକଶିତ ଦେଶ ତୁଳନାରେ ଯଥେଷ୍ଟ ଧିମା ରହିଛି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୨ ଦିନରେ ୮ ଲକ୍ଷ ଟପିଥିଲା। ସେହିପରି ବ୍ରାଜିଲ୍‌ରେ ଏଥିପାଇଁ ୧୦୭ ଦିନ ସମୟ ଲାଗିଥିଲା ବୋଲି କରୋନା ଓ୍ବାଲର୍‌ଡ ମିଟର ତଥ୍ୟରୁ ଜଣାପଡ଼ିଛି। କରୋନା ୭୦ ପ୍ରତିଶତ ସଂକ୍ରମିତ ଘଟଣା ଘଟିଥିବାବେଳେ କେବଳ ୬ ରାଜ୍ୟରେ ୮୫ ପ୍ରତିଶତ ସଂକ୍ରମଣ ହୋଇଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୬୨ ପ୍ରତିଶତରୁ ଅଧିକ ରହିଛି। ପ୍ରତି ୪ଦିନରେ ୬୦ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି।

Share