Categories: ଜାତୀୟ

ମୋଦିଙ୍କ ସମ୍ପତ୍ତି ବଢ଼ିଛି, ଶାହାଙ୍କର କମିଛି

ନୂଆଦିଲ୍ଲୀ, ୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ନିଜ ନିଜର ସମ୍ପତ୍ତିର ସୂଚନାକୁ ସାର୍ବଜନୀକ କରିଛନ୍ତି। ଏହି ସୂଚନା www.pmindia.gov.inରେ ଉପଲବ୍ଧ ହେଉଛି। ଏଥିରେ ସମସ୍ତ ମନ୍ତ୍ରୀ ସେମାନଙ୍କୁ ସମ୍ପତ୍ତିି ସୂଚନା ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରଦାନ କରିଛନ୍ତି। କେବଳ ପ୍ରଧାନମନ୍ତ୍ରୀ ଜୁନ୍‌ ୩୦ ପର୍ଯ୍ୟନ୍ତ ନିଜ ସମ୍ପତ୍ତିର ବିବରଣୀ ଦେଇଛନ୍ତି। ସୂଚନା ଅନୁସାରେ ମୋଦିଙ୍କ ସମ୍ପତ୍ତି ବଢ଼ିଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମ୍ପତ୍ତି ପରିମାଣ ଶେୟାର ବଜାରର ଖରାପ ସ୍ଥିତି ଯୋଗୁ କମି ଥିବା ଦର୍ଶାଯାଇଛି। ଜୁନ୍‌ ୩୦ ସୁଦ୍ଧା ମୋଦିଙ୍କ ମୋଟ ସମ୍ପତ୍ତି ପରିମାଣ ୨ କୋଟି ୮୫ ଲକ୍ଷ ଦର୍ଶାଯାଇଛି। ମୋଦିଙ୍କ ଜମା ଖାତାରେ ୩ ଲକ୍ଷ ୩୮ ହଜାର ୧୭୩ ଟଙ୍କା ରହିଛି। ସେହିପରି ଅମିତ ଶାହାଙ୍କ ମୋଟ ସମ୍ପତ୍ତି ପରିମାଣ ୨୮ କୋଟି ୬୦ ଲକ୍ଷରେ ପହଞ୍ଚିଛି। ପୂର୍ବରୁ ୨୦୧୯ରେ ତାଙ୍କର ସମ୍ପତ୍ତି ପରିମାଣ ୩୨ କୋଟି ୩୦ ଲକ୍ଷ ଥିଲା। ଗୋଟିଏ ବର୍ଷ ମଧ୍ୟରେ ତାଙ୍କର ସମ୍ପତ୍ତିି ପରିମାଣ କମିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଜମା ଖାତାରେ ୨୫ ଲକ୍ଷ ଟଙ୍କା ରହିଛି। ଲକ୍ଷ୍ନୌରେ ତାଙ୍କର ୧୫ କୋଟିର ଏକ ଘର ରହିଛି। ରାଜନାଥଙ୍କ ସମ୍ପତ୍ତି ପରିମାଣ ଗତ ବର୍ଷ ପରି ସାମନ ରହିଛି। ନୀତୀନ ଗଡ଼କରୀ ଦେଢ଼କୋଟି ଟଙ୍କା ଧାର ଆଣିଥିବା ସୂଚିିତ କରିଛନ୍ତି। ତାଙ୍କ ଜମା ଖାତାରେ ୨କୋଟି ୫୪ ଲକ୍ଷ ୮ ହଜାର ୨୨୯ ଟଙ୍କା ରହିଛି। ତାଙ୍କ ପାଖରେ ୪୧ କୋଟିର ଜମିଜମା ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଖରେ ୯ଲକ୍ଷ ୫୦ ହଜାର ଟଙ୍କାର ଅଳଙ୍କାର ରହିଛି। ତାଙ୍କ ଜମା ଖାତାରେ ଲକ୍ଷେ ୯୯ ହଜାର ୪୮୨ ଟଙ୍କା ରହିଛି। ତାଙ୍କର ୯ ଲକ୍ଷ ୯୦ ହଜାର ଟଙ୍କାର ଏକ ଘର ରହିଛି। ସେ ୩୧ ଲକ୍ଷ ଟଙ୍କା ଧାର କରିଥିବା ଉଲ୍ଲେଖ କରିଛନ୍ତି।

Share