Categories: ଜାତୀୟ

ମୌସୁମୀ ଅଧିବେଶନ: ସୋନିଆ-ରାହୁଲ ରହିବେ ଅନୁପସ୍ଥିତ

ନୂଆଦିଲ୍ଲୀ, ୧୩।୯: ସୋମବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଅନୁପସ୍ଥିତ ରହିବେ। ସ୍ବାସ୍ଥ୍ୟ ଯାଞ୍ଚ୍‌ ପାଇଁ ସୋନିଆ ରାହୁଲଙ୍କ ସହିତ ବିଦେଶ ଯାଇଛନ୍ତି। ସେ ଦୁଇ ସପ୍ତାହ ପରେ ଭାରତ ଫେରିବେ। ସେହିପରି ଅନ୍ୟ କେତେକ ଏମ୍‌ପି ଅଧିକ ବୟସ ହେତୁ ଅଧିବେଶନରେ ଯୋଗଦେଇପାରିବେ ନାହିଁ। ତୃଣମୂଳର ୭ ଏମ୍‌ପି ଏବଂ ଭାଜପାର ଜଣେ ଏମ୍‌ପି ଅଧିବେଶନରେ ଯୋଗଦେବେ ନାହିଁ। କେନ୍ଦ୍ରୀୟ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦୀ ଅଧିବେଶନରେ ଯୋଗ ଦେବେ ନାହିଁ। ଶୁକ୍ରବାର ତାଙ୍କର ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଇକ ଶନିବାର ହସ୍ପିଟାଲରୁ ଘରକୁ ଫେରିଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ସେ ଏକମାସ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୬୭ ବର୍ଷ ବୟସ୍କ ନାଇକ ଚଳିତ ଅଧିବେଶନରେ ଯୋଗଦେବାର ସମ୍ଭାବନା କମ୍‌ ବୋଲି କୁହାଯାଉଛି। ତୃଣମୂଳ କଂଗ୍ରେସର ୩ ଲୋକ ସଭା ଏମ୍‌ପି ଏବଂ ୪ ରାଜ୍ୟ ସଭା ଏମ୍‌ପି ଅଧିବେଶନରେ ସାମିଲ୍‌ ହେବେ ନାହିଁ। ତୃଣମୂଳର ରାଜ୍ୟ ସଭା ମୁଖ୍ୟ ହ୍ବିପ୍‌ ଶୁଖେନ୍ଦୁ ଶେଖର ରାୟ ଅନୁପସ୍ଥିତ ରହିବେ ବୋଲି ଚିଠି ଲେଖି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ଜଣାଇଛନ୍ତି। ୬୫ ବର୍ଷରୁ ଅଧିକ ବର୍ଷରୁ ଅଧିକ ବୟସ୍କ ଏମ୍‌ପିଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିବାରୁ ଶୁଖେନ୍ଦୁ ଚଳିତ ଅଧିବେଶନରେ ଯୋଗଦେବେ ନାହିଁ। ତୃଣମୂଳର ଉତ୍ତର କୋଲକତା ଏମ୍‌ପି ୬୭ ବର୍ଷ ବୟସ୍କ ସୁଦୀପ୍‌ ବନ୍ଦୋପଧ୍ୟାୟ, କାନ୍ତି ଏମ୍‌ପି ୭୮ ବର୍ଷ ବୟସ୍କ ଶିଶିର ଅଧକାରୀ ଏବଂ ମଥୁରାପୁର ଏମ୍‌ପି ୮୨ ବର୍ଷ ବୟସ୍କ ଚୌଧୁରୀ ମୋହନ ଜଟୁଆ ମୌସୁମୀ ଅଧିବେଶନରେ ଯୋଗଦେବେ ନାହିଁ। ସେହିପରି ସୁବ୍ରତ ବକ୍ସି, ମାନସ ଭୂୟାଁ ଏବଂ ଶୁଭାଶିଷ ଚକ୍ରବର୍ତ୍ତୀ ରାଜ୍ୟ ସଭାରେ ଯୋଗଦେଇ ପାରିବେ ନାହିଁ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ୮୭ ବର୍ଷ ବୟସ୍କ ମନମୋହନ ସିଂ ଏବଂ ୭୯ ବର୍ଷ ବୟସ୍କ ଏକେ ଆଣ୍ଟୋନୀ ମୌସୁମୀ ଅଧିବେଶନରେ ଯୋଗଦେବାର ସମ୍ଭାବନା ଥିବା କୁହାଯାଉଛି।

Share