ମୃତ୍ୟୁ ହାର କମୁଛି, ବଢୁଛି ସୁସ୍ଥ ହେବା ସଂଖ୍ୟା: ୫ ରାଜ୍ୟରେ ସ୍ଥିତିରେ ଆସୁନି ସୁଧାର

ନୂଆଦିଲ୍ଲୀ, ୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହାର କମୁଥିବା ବେଳେ ସୁସ୍ଥ ହେବାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୃତ୍ୟୁ ହାର କମି ୧.୬୯ ପ୍ରତିଶତ ହୋଇଥିବାବେଳେ ସୁସ୍ଥ ହେବା ହାର ୭୮ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯ ହଜାର ୭୦୬ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୧,୧୧୫ ଜଣଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଲକ୍ଷ ୭୦ ହଜାର ୧୨୯ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା ୭୩ହଜାର ୭୯୦ରେ ଛୁଇଁଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ୩୩ ଲକ୍ଷ ୯୮ ହଜାର ୮୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୮ ଲକ୍ଷ ୯୭ ହଜାର ୩୯୪ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ସେପ୍ଟେମ୍ବର ୮ ସୁଦ୍ଧା ଦେଶରେ ୫ କୋଟି ୧୮ଲକ୍ଷ ୪ ହଜାର ୬୭୭ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ମଙ୍ଗଳବାର ୧୧ ଲକ୍ଷ ୫୪ ହଜାର ୫୪୯ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ନାଟକ, ଉତ୍ତରପ୍ରଦେଶ ଏବଂ ତାମିଲନାଡୁ ଆଦି ୫ ରାଜ୍ୟରେ ସ୍ଥିତିରେ ସୁଧାର ଆସୁନି। ଏସବୁ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କର ୭୦ ପ୍ରତିଶତ ଲୋକ ରହିଛନ୍ତିି। ମହାରାଷ୍ଟ୍ରରେ ୨୭ ପ୍ରତିଶତ ଆକ୍ରାନ୍ତ ଥିବାବେଳେ ଆନ୍ଧ୍ରପ୍ରଦେଶରେ ୧୧ ପ୍ରତିଶତ ରହିଛନ୍ତି। ସେହିପରି କର୍ନାଟକରେ ୧୦.୯୮ ପ୍ରତିଶତ, ଉତ୍ତରପ୍ରଦେଶରେ ୭ ଏବଂ ତାମିଲନାଡୁରେ ୬ ପ୍ରତିଶତ କରୋନା ଆକ୍ରାନ୍ତ ରହିଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share