ନାଗୁପର,୨୪।୯: ମୁଷଳଧାରାରେ ବର୍ଷା ଯୋଗୁ ନାଗପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହର ମଧ୍ୟରେ ୩ ଫୁଟରୁ ଅଧିକ ପାଣି ଭରି ରହିଛି। ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା ମୁଷଳଧାରା ବର୍ଷା ନାଗପୁରବାସୀଙ୍କ ନିଦ ହଜାଇ ଦେଇଛି। ବର୍ଷା ଯୋଗୁ ରାସ୍ତା ଉପରେ ପାଣି ବହିବା ସହ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ସେହିପରି ନାଗ ଓ ପିଲି ନଦୀ ସଂଲଗ୍ନ ଅଞ୍ଚଳରେ ଥିବା ଘରଗୁଡ଼ିକରେ ପାଣି ପଶିଯାଇଛି। ନାଗପୁର ମ୍ୟୁନିସିପାଲିଟିର ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ କର୍ମଚାରୀଙ୍କ ସହ ଏସ୍ଡିଆର୍ଏଫ୍ ଯବାନମାନେ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପାଣିପାଗ ବିଭାଗର ସୂଚନାନୁସାରେ ନାଗପୁର ବିମାନବନ୍ଦରରେ ଶନିବାର ସକାଳ ୫.୩୦ ସୁଦ୍ଧା ୧୦୬.୭ ମିଲିମିଟିର ବର୍ଷା ହୋଇଛି। ସକାଳୁ ବର୍ଷା ଲାଗି ରହିଥିବାରୁ ଟ୍ରାଫିକ୍ ସେବା ପ୍ରଭାବିତ ହୋଇଥିଲା। ସେହିପରି ବର୍ଷା ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଟ୍ରେନ୍, ବସ୍ ଓ ବିମାନ ସେବା ପ୍ରଭାବିତ ହୋଇଛି।