ଯୋଡ଼ା,୩।୧୦(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ଗୌଡ଼ବସ୍ତିଠାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଅନ୍ଲାଇନ ଖେଳ ପାଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, କମାରଯୋଡ଼ାରେ ରହୁଥିବା ବିନୋଦ ଆପଟ୍ଟଙ୍କ ୧୪ ବର୍ଷର ପୁଅ ଅମିତାଂଶୁ ଯୋଡ଼ା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅଷ୍ଟମ ଶ୍ରେଣୀ ଛାତ୍ର। କରୋନା ଯୋଗୁ ଅନ୍ଲାଇନ୍ରେ ପାଠ ପଢା ହେବାରୁ ଅମିତାଂଶୁଙ୍କୁ ବାପା ଏକ ମୋବାଇଲ କିଣିଦେଇଥିଲେ। ଅନଲାଇନରେ ପାଠ ପଢିବା ସହିତ ଅମିତାଂଶୁ ମୋବାଇଲରେ ଗେମ ଖେଳୁଥିଲେ। କିଛିଦିନ ପୂର୍ବେ ବିନୋଦଙ୍କ ଆକାଉଣ୍ଟରୁ ୩୫ ହଜାର ଓ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ୬୧ ହଜାର ଟଙ୍କା ଗାଏବ ହେବା ପରେ ସେ ଏ ନେଇ ବ୍ୟାଙ୍କରେ ପଚରାଉଚରା କରିଥିଲେ। ତେବେ ଉକ୍ତ ଟଙ୍କା ଏକ ଅନଲାଇନ ଗେମିଂ ସଂସ୍ଥାର ଆକାଉଣ୍ଟକୁ ଯାଇଥିବା ଜାଣି ପୁଅ ଅମିତାଂଶୁକୁ ତାଗିଦ କରିଥିଲେ। ତେବେ ଶନିବାର ସକାଳେ ଅମିତାଂଶ ଶୌଚାଳୟକୁ ଯାଇ ଏକ ଶାଢିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଡ଼ାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।
Posted inଆମ ଜିଲା ଖବର, କେନ୍ଦୁଝର, ରାଜ୍ୟ