Categories: ଜାତୀୟ

ହସ୍ପିଟାଲରେ ମିଳିଲାନି ଶଯ୍ୟା: ହାତରେ ସାଲାଇନ୍‌ ବୋତଲ ଧରି ଆହତ ପିତାଙ୍କ ସହ ବୁଲିଲେ ନାବାଳକ

ଆରା,୬।୧୧: ଲୋକଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ତାହା କେତେଦୂର ସତ? ଦେଶରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବିହାରର ଏକ ହସ୍ପିଟାଲରେ। ଏହି କଥା ଆମେ କହୁନାହୁଁ ବରଂ ଆରା ଜିଲାରୁ ଆସିଥିବା ଏହି ଫଟୋ ଦର୍ଶାଉଛି। ଜଣେ ୫ ବର୍ଷର ବାଳକ ହାତରେ ସାଲାଇନ୍‌ ଧରି ନିଜ ଆହତ ପିତାଙ୍କ ସହ ହସ୍ପିଟାଲରେ ବୁଲୁଛି। କାଳେ କେଉଁଠି ବସିବା ପାଇଁ ବାପାଙ୍କୁ ଜାଗାଟିଏ ମିଳିଯିବ। କାରଣ ଚିକିତ୍ସା ପାଇଁ ହସ୍ପିଟାଲରେ ଶଯ୍ୟା ନାହିଁ।

ସୂଚନାଯୋଗ୍ୟ, ଆରାର ବିହିଆରେ ରହୁଥିବା ମୋହନ ଯାଦବ ପେଶାରେ ଜଣେ ଶ୍ରମିକ। ଗୁରୁବାର ଘରେ ରଙ୍ଗ ଦେଉଥିବା ବେଳେ ହଠାତ୍‌ ତଳକୁ ଖସିପଡ଼ି ଆହତ ହୋଇଥିଲେ। ଏହାପରେ ତାଙ୍କ ୫ବର୍ଷର ପୁଅ ସହ ଚିକିତ୍ସା ପାଇଁ ଆରାର ସଦର ହସ୍ପିଟାଲକୁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରି ସାଲାଇନ୍‌ ଲଗାଇଥିଲେ। କିନ୍ତୁ ହସ୍ପିଟାଲରେ ଶର୍ଯ୍ୟା ନ ଥିବାରୁ ବାପପୁଅ ଏଣେତେଣ ବୁଲିଥିଲେ। ଏହି ଫଟୋ ଆପଣଙ୍କୁ ବ୍ୟଥିତ କରିପାରେ। କିନ୍ତୁ ଏହା ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ଏକ ଜ୍ୱଳନ୍ତ ଉଦାହରଣ। ବିହାରରେ ସ୍ବାସ୍ଥ୍ୟସେବା ଏବେ ଭେଣ୍ଟିଲେଟରରେ ରହିଛି ବୋଲି କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ। ଅନ୍ୟପଟେ ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଏହାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି।

Share