ବିନା ପରୀକ୍ଷାରେ ଡିଗ୍ରୀ ନାହିଁ

ନୂଆଦିଲ୍ଲୀ, ୨୯।୮: ବିନା ପରୀକ୍ଷାରେ ଡିଗ୍ରୀ ନାହିଁ। କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶେଷ ବର୍ଷ ପରୀକ୍ଷା କରାଇବାକୁ ହେବ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ପରୀକ୍ଷା ନ କରି ଡିଗ୍ରୀ ଦିଆଯାଇପାରିବ ନାହଁ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। କରୋନା ମହାମାରୀ ଯୋଗୁ ଚୂଡ଼ାନ୍ତ ବର୍ଷ ପରୀକ୍ଷା ବାତିଲ କରାଯାଇ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ଇଣ୍ଟରନାଲ ଫଳାଫଳ ଆଧାରରେ ଉତ୍ତୀର୍ଣ୍ଣ କରାଇବା ଦାବିରେ ପିଟିଶନ ଦାଏର ହୋଇଥିଲା। କଲେଜ/ବିଶ୍ୱବିଦ୍ୟାଳୟ ପିଲାଙ୍କ ଶେଷବର୍ଷ ପରୀକ୍ଷା କରାଇବାକୁ ହେବ। ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକ ବିପର୍ଯ୍ୟୟ ପରିଚାଳନା ଆଇନରେ ପରୀକ୍ଷାକୁ ସ୍ଥଗିତ ରଖିପାରିବେ। ତେବେ ୟୁଜିସି ନିର୍ଦ୍ଦେଶନାମା ଅନୁଯାୟୀ କୌଣସି ରାଜ୍ୟ ଶେଷବର୍ଷ ପିଲାଙ୍କୁ ବିନା ପରୀକ୍ଷାରେ ପାସ୍‌ କରାଇପାରିବେ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଦେଇଛନ୍ତି।
ମହାମାରୀକୁ ଦୃଷ୍ଟିରେ ରଖି ୟୁଜିସି ଜୁଲାଇ ୬ରେ ସଂଶୋଧିତ ଗାଇଡ୍‌ଲାଇନ ଜାରି କରିଥିଲେ। ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଓ ନିରାପତ୍ତା ଗୁରୁତ୍ୱପୂର୍ଣ୍ଣ। ସବୁ ଛାତ୍ରୀଛାତ୍ରଙ୍କୁ ସମାନ ସୁଯୋଗ ମିଳିବା ଆବଶ୍ୟକ। ଏଥିସହିତ ୟୁଜିସି କହିଥିଲେ, ପିଲାମାନଙ୍କ ଶୈକ୍ଷିକ ବିଶ୍ୱସନୀୟତା, କ୍ୟାରିୟର ସୁଯୋଗ ଏବଂ ଭବିଷ୍ୟତର ଉନ୍ନତିକୁ ବିଶ୍ୱସ୍ତରୀୟ ଭାବେ ସୁନିଶ୍ଚିତ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେକୌଣସି ଶିକ୍ଷାବ୍ୟବସ୍ଥାରେ ଛାତ୍ରୀଛାତ୍ରଙ୍କ ଶିକ୍ଷାର ମୂଲ୍ୟାୟନ ଗୁରୁତତ୍ୱପୂର୍ଣ୍ଣ ବୋଲି ୟୁଜିସି କହିବା ସହିତ କୋଭିଡ୍‌ ଗାଇଡଲାଇନକୁ ପାଳନ କରି ଅଫଲାଇନ, ଅନ୍‌ଲାଇନ କିମ୍ବା ଉଭୟ ମୋଡ୍‌ରେ ସେପ୍ଟେମ୍ବର ଶେଷ ସୁଦ୍ଧା ପରୀକ୍ଷା ସମ୍ପୂର୍ଣ୍ଣ କରିବାକୁ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ରାଜ୍ୟଗୁଡ଼ିକ କରୋନା ସ୍ଥିତିକୁ ଦେଖି ପରୀକ୍ଷା ତାରିଖ ସ୍ଥିର କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ୟୁଜିସିର ନିର୍ଦ୍ଦେଶନାମାର ବୈଧତାକୁ ଚ୍ୟାଲେଞ୍ଜ କରି ମହାରାଷ୍ଟ୍ର ଯୁବସେନା ନେତା ତଥା କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପକ୍ଷରୁ ପିଟିଶନ ଦାଏର କରାଯାଇଥିଲା।

Share