କୋରାପୁଟ,୧୦ା୯(ସ୍ବ.ପ୍ର.): କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୧୩ ତାରିଖରୁ ଖୋଲିବ। ଲୋକ ସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ରିସର୍ଚ୍ଚ ସ୍କଲାରମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଖୋଲାଯିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ୨୦ରୁ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ରଙ୍କ ପାଇଁ ଖୋଲିବ। ୨୦ ତାରିଖରୁ ସେମାନେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଆସିବାକୁ ଅନୁମତି ପ୍ରଦାନ କରାଯିବ। ଛାତ୍ରୀଛାତ୍ରଙ୍କୁ ଆସିବା ସମୟରେ ମାସ୍କ, ସାନିଟାଇଜ, ଆଧାର କାର୍ଡ, ପରିଚୟ ପତ୍ର ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ସାଙ୍ଗରେ ଆଣିବାକୁ ପଡିବ। ସେହିପରି ଦୂରଦୂରାନ୍ତରରୁ ଆସୁଥିବା ରିସର୍ଚ୍ଚ ସ୍କଲାର ଏବଂ ଛାତ୍ରୀଛାତ୍ରଙ୍କ ପାଇଁ ହଷ୍ଟେଲ ଖୋଲାଯିବ। ମାତ୍ର ସେମାନେ କୋଭିଡ୍ର ଦ୍ୱିତୀୟ ଡୋଜ ଟିକା ନେଇଥିବା ଆବଶ୍ୟକ। ସେମାନେ ଆସିବାର ୩ ଦିନ ମଧ୍ୟରେ କୋଭିଡ୍ ନେଗେଟିଭ ରିପୋର୍ଟ ସମ୍ପର୍କିତ ପ୍ରମାଣପତ୍ର ଦେଖାଇବାକୁ ପଡିବ। ଏଥିସହ ସମସ୍ତ ଦୂରଦୂରାନ୍ତର ଛାତ୍ରୀଛାତ୍ର ଆସିବା ପରେ ହଷ୍ଟେଲରେ ୭ଦିନିଆ ସଙ୍ଗରୋଧରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି ବୋଲି ଡ.ଭୋଇ ପ୍ରକାଶ କରିଛନ୍ତି।