ବିରୋଧୀ ବ୍ଲକ୍ ଇଣ୍ଡିଆ ୧୪ଜଣ ଆଙ୍କର ବା ଉପସ୍ଥାପକଙ୍କ ନାମ ଘୋଷଣା କରିଛି ଯାହାଙ୍କ କାର୍ଯ୍ୟକ୍ରମକୁ ସେମାନଙ୍କ ମୁଖପାତ୍ରମାନେ ବର୍ଜନ କରିବେ। ଆଙ୍କରମାନଙ୍କ ତାଲିକା ପ୍ରକାଶ କରାଯାଇଥିଲାବେଳେ ଏଭଳି ପଦକ୍ଷେପର କୌଣସି କାରଣ ଦର୍ଶାଯାଇନାହିଁ। କିନ୍ତୁ ବିରୋଧୀ ଦଳର ବିଭିନ୍ନ ନେତା କହିଛନ୍ତି, ଏହା ହେଉଛି ‘ଭାଜପା ମିଡିଆ ସେଲ୍ର ହ୍ବାଟ୍ସଆପ୍ ଗ୍ରୁପ୍’। ତେବେ କେଉଁ ଆଙ୍କର ସରକାରୀ ସପକ୍ଷବାଦୀ ଏବଂ କେଉଁ ଟିଭି ଷ୍ଟେଶନ ସରକାରୀ ଶାଖା ଭାବେ କାର୍ଯ୍ୟ କରିଛନ୍ତି ତାହା ଦେଖିବା। ୧୯ ଜୁନ୍ ୨୦୨୦ରେ, ଚାଇନାର ଅନୁପ୍ରବେଶ ଉପରେ ଏକ ସର୍ବଦଳୀୟ ବୈଠକ ପରେ ସରକାର ସାମ୍ବାଦିକମାନଙ୍କୁ ଆଲୋଚନାର ବିଷୟ ଉପରେ ଯେଉଁ ଲେଖା ଦେଇଥିଲେ ତାହାକୁ ଏନ୍ଡିଟିଭି ଖବରଦାତା ଅରବିନ୍ଦ ଗୁନାସେକର ଟୁଇଟ୍ କରିଥିଲେ। ଚାଇନା କୌଣସି ଅନୁପ୍ରବେଶ କରି ନ ଥିଲା ବୋଲି ଏହି ବୈଠକରେ ମୋଦି ଦାବି କରିଥିଲେ। ବୈଠକର ଆଲୋଚନାର ବିଷୟକୁ ଗଣମାଧ୍ୟମ ସେମାନଙ୍କ ଶୀର୍ଷକରେ ଗୁରୁତ୍ୱ ଦେବା ଲାଗି ସରକାର ଚାହଁିଥିଲେ। ଶୀର୍ଷକଗୁଡ଼ିକ ଥିଲା ଏହିପରି,‘ପ୍ରଧାନମନ୍ତ୍ରୀଙ୍କ ପଛରେ ଭାରତ ଦୃଢ଼ ଭାବରେ ଠିଆ ହୋଇଛି। ମୋଦି ସରକାର ଏହି ପରିସ୍ଥିତିକୁ କିପରି ନିୟନ୍ତ୍ରଣ କରିଛନ୍ତି ସେ ନେଇ ଅଧିକାଂଶ ନେତା ନିଜର ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି’ ଏବଂ ‘କେସିଆର୍, ସିକ୍କିମ କ୍ରାନ୍ତି ମୋର୍ଚ୍ଚା ମଧ୍ୟରେ ଅସନ୍ତୋଷ ସୃଷ୍ଟିକରି ନଷ୍ଟ କରିଦେବାକୁ କଂଗ୍ରେସ ଉଦ୍ୟମ କରୁଛି’। ଚ୍ୟାନେଲଗୁଡ଼ିକ ବି ଏହି ନିର୍ଦ୍ଦେଶକୁ ପାଳନ କରିଥିଲେ। ଏହାର କିଛି ଘଣ୍ଟା ପରେ ଟାଇମ୍ସ ନାଓର ପ୍ରାଇମ୍ ଟାଇମ୍ ଡିବେଟର ଶୀର୍ଷକ ଥିଲା- ‘ସମସ୍ତ ଦଳ ଭାରତ ପଛରେ ଏକାଠି ଠିଆ ହୋଇଥିବାବେଳେ ସୋନିଆ ଗାନ୍ଧୀ ଚାଇନାକୁ ସମାଲୋଚନା କରୁନାହାନ୍ତି?’ ୧୯ ଜୁନ୍ରେ ରିପବ୍ଲିକ୍ ଟିଭି ବିତର୍କର ଶୀର୍ଷକ ଥିଲା- ‘ବାସ୍ତବତା ବିନା କଂଗ୍ରେସ ସେନାକୁ ଅପମାନିତ କରିଛି’; ‘କଂଗ୍ରେସ ଏବଂ ଚାଇନା ମଧ୍ୟରେ ଏକ ସ୍ବତନ୍ତ୍ର ସମ୍ପର୍କ ଅଛି କି?’ ଏହି ସମୟରେ ଅର୍ଥାତ୍ ମେ, ଜୁନ୍ ଓ ଜୁଲାଇରେ ଚାଇନା ଅନୁପ୍ରବେଶ ଓ ଲକ୍ଡାଉନ ଯୋଗୁ ଅର୍ଥ ବ୍ୟବସ୍ଥା ନିମ୍ନାଗାମୀ ହେଉଥିଲାବେଳେ ଟାଇମ୍ସ ନାଓ ବିରୋଧୀଙ୍କୁ ଦୋଷ ଦେଇ ୩୩ଟି ଡିବେଟ କରିଥିଲା। ଏଥିରେ ମୋଦି ସରକାରଙ୍କୁ ସମାଲୋଚନାର ସ୍ଥାନ ନ ଥିଲା। ଆର୍ଥିକ ମାନ୍ଦାବସ୍ଥା ଉପରେ ବି ବିତର୍କ ହୋଇ ନ ଥିଲା। ଏହି ୩ ମାସରେ ବିରୋଧୀଙ୍କ କାର୍ଯ୍ୟକଳାପକୁ ସମାଲୋଚନାକରି ରିପବ୍ଲିକ ଟିଭି ୪୭ଟି ବିତର୍କ କରିଥିଲା। ଏସବୁ ମଧ୍ୟ ମୋଦି ସରକାରଙ୍କ କାର୍ଯ୍ୟକଳାପକୁ ସମାଲୋଚନା କିମ୍ବା ଆଥିର୍ର୍କ ମାନ୍ଦାବସ୍ଥା ବିଷୟରେ ଡିବେଟ କରି ନ ଥିଲା। ଏହାସହ ଜୁନ୍ ୭ ରୁ ୨୭ ମଧ୍ୟରେ ପେଟ୍ରୋଲ / ଡିଜେଲ ମୂଲ୍ୟ ୨୧ ଦିନ ଧରି ପ୍ରତିଦିନ ବୃଦ୍ଧି ପାଇଥିଲା। ୧୬ ଜୁନ୍ରେ ଭାରତ ଘୋଷଣା କରଥିଲା ଯେ, ଲଦାଖରେ ଚାଇନା ସହ ମୁହଁାମୁହଁି ସଂଘର୍ଷରେ ୨୦ ଜଣ ଯବାନ ନିହତ ହୋଇଛନ୍ତି। ଦୈନିକ କୋଭିଡ୍ ସଂକ୍ରମଣ ମେ ୧ରେ ୨୩୦୦ରୁ ବୃଦ୍ଧି ପାଇ ଜୁଲାଇ ୩୧ରେ ଦୈନିକ ୫୭,୦୦୦ରୁ ଅଧିକ ହୋଇଥିଲା। କିନ୍ତୁ ‘ବିତର୍କ’ ଏସବୁ ଉପରେ ଗୁରୁତ୍ୱ ଦେଇ ନ ଥିଲା।
କିଛିଦିନ ପରେ,ଇଣ୍ଡିଆନ ଜର୍ନାଲିଜମ୍ ରିଭ୍ୟୁ ପ୍ରକାଶ କରିଥିଲା ଯେ, ଚ୍ୟାନେଲଗୁଡିକ କାହା ଉପରେ ଗୁରୁତ୍ୱ ଦେବେ ସେ ବିଷୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍ଓ) ନିର୍ଦ୍ଦେଶ ଦେଇଥିଲା। ଏହା ଉଲ୍ଲେଖ କରିଥିଲା, ‘ମୋଦିଙ୍କ ପ୍ରଭାବ ଅଧିକ ଏବଂ ସ୍ପଷ୍ଟ। ବିସ୍ତାରବାଦୀ ଚାଇନାକୁ ନିୟନ୍ତ୍ରଣ କରିବା ହେଉଛି ଏକ କଠିନ କାର୍ଯ୍ୟ, କିନ୍ତୁ ଠିକ୍ ରଣନୀତି ଏବଂ ପଦକ୍ଷେପ ଉଲ୍ଲେଖନୀୟ ଫଳାଫଳ ଦେଇପାରେ। ଚାଇନା ପଛକୁ ଫେରିନାହିଁ, ବରଂ ଆଗରେ ଥିବା ଜଣେ ନେତାଙ୍କ ନେତୃତ୍ୱରେ ଏକ ସଂଗଠିତ ଦେଶ ଚାଇନାକୁ ପଛକୁ ହଟାଇଦେଇଛି। ସାମରିକ, ଅର୍ଥନୈତିକ ଏବଂ ରଣନୀତିକ ପଦକ୍ଷେପ ଗ୍ରହଣକରି ପ୍ରଧାନମନ୍ତ୍ରୀ ମୋଦି ଚାଇନକୁ ପଛରେ ପକାଇ ଦେଇଛନ୍ତି।’ ଟାଇମ୍ସ ନାଓ ବିତର୍କର ଶୀର୍ଷକ ଥିଲା: ‘ପ୍ରଧାନମନ୍ତ୍ରୀ ମୋଦି ବିସ୍ତାରବାଦୀ ଚାଇନାକୁ ଦଣ୍ଡିତ କରିଛନ୍ତି, ସନ୍ଦେହୀମାନେ ଲଜ୍ଜିତ ହୋଇଛନ୍ତି?’;‘ଚାଇନା ପଛକୁ ହଟିଥିବା ସ୍ବୀକାର କରିଛି, ସେନା ଉପରେ ସନ୍ଦେହ ପ୍ରକଟ କରୁଥିବା ବ୍ୟକ୍ତିମାନେ ଆତ୍ମସମର୍ପଣ କରିବେ କି?’ ରିପବ୍ଲିକ ଇଣ୍ଡିଆ କହିଲା:‘ପ୍ରଧାନମନ୍ତ୍ରୀ ଆଗରେ ନେତୃତ୍ୱ ନେଉଛନ୍ତି’; ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ ନେତୃତ୍ୱ ଚାଇନାକୁ ପଛକୁ ହଟାଇ ଦେଇଛି’। ୨୦୨୦ ଶେଷାର୍ଦ୍ଧରେ ପ୍ରକାଶିତ ଏକ ଅଧ୍ୟୟନରେ ରାଜନୈତିକ ବିଜ୍ଞାନୀ ଖ୍ରୀଷ୍ଟୋଫ ଜାଫ୍ରେଲଟ ଏବଂ ଡାଟା ଆନାଲିଷ୍ଟ ଭିହାଙ୍ଗ ଜୁମଲେ ରିପବ୍ଲିକ୍ର ବିଷୟବସ୍ତୁ ଉପରେ ଅନୁଧ୍ୟାନ କରିଥିଲେ। ସେମାନେ କାରଭାନ ମାଗାଜିନରେ ଲେଖିଛନ୍ତି ଯେ, ମେ ୨୦୧୭ରେ ଚ୍ୟାନେଲ ଆରମ୍ଭ ହେବା ପରଠାରୁ ସେମାନେ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୧,୭୭୯ଟି ଡିବେଟକୁ ଅଧ୍ୟୟନ କରିଥିଲେ। ସେମାନଙ୍କ ସିଦ୍ଧାନ୍ତ ଥିଲା ସ୍ପଷ୍ଟ। ରିପବ୍ଲିକ ଟିଭିର ବିତର୍କଗୁଡ଼ିକ ମୋଦି ସରକାର ଏବଂ ଏହାର ନୀତି ତଥା ଭାଜପାର ବିଚାରଧାରା ସପକ୍ଷରେ ଲଗାତର ପକ୍ଷପାତିତା ଦେଖାଇଥିଲା। ସବୁଠାରୁ ଖରାପ କଥା ହେଉଛି, ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଅର୍ଥ ବ୍ୟବସ୍ଥା, ଶିକ୍ଷା କିମ୍ବା ସ୍ବାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏହି ବିତର୍କଗୁଡ଼ିକରେ କ୍ୱଚିତ୍ ଉପସ୍ଥାପନ କରାଯାଇଥିଲା। ଏହା ପରିବର୍ତ୍ତେ, ସରକାରଙ୍କ ବିଚାରଧାରାକୁ ବିରୋଧ କରୁଥିବା ବିରୋଧୀଙ୍କ ସମେତ କୌଣସି ଗୋଷ୍ଠୀ କିମ୍ବା ବ୍ୟକ୍ତିବିଶେଷଙ୍କୁ ଲଗାତର ଆକ୍ରମଣ କରାଯାଇଥିଲା। ରିପବ୍ଲିକ ଟିଭିର ପ୍ରାୟ ୫୦% ରାଜନୈତିକ ବିତର୍କ ବିରୋଧୀଙ୍କୁ ସମାଲୋଚନା କରିଛି। ହେଲେ ଏହା ଗୋଟିଏ ବିତର୍କ ମଧ୍ୟ କରି ନାହିଁ ଯାହାକୁ ଆମେ ବିରୋଧୀଙ୍କ ସପକ୍ଷରେ ଶ୍ରେଣୀଭୁକ୍ତ କରିପାରିବା।
ତେବେ କେତେଜଣ ଆଙ୍କର ଏବଂ କିଛି ଟିଭି ସଂସ୍ଥା ସରକାରଙ୍କ ସପକ୍ଷବାଦୀ ଭାବେ କାର୍ଯ୍ୟ କରନ୍ତି ବୋଲି ଆରମ୍ଭରେ ଯେଉଁ ପ୍ରଶ୍ନ କରାଯାଇଛି ତାହାର ପ୍ରମାଣ ଦର୍ଶାଇବାକୁ ପଡ଼ିଲା ଓ ଏହା ସମସ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ସ୍ପଷ୍ଟ। ବିରୋଧୀ ସିଦ୍ଧାନ୍ତ ହେଉଛି, ଗଣମାଧ୍ୟମର ଏକ ବୃହତ୍ ଅଂଶକୁ ଅସାଧୁ ଖେଳ ଖେଳିବାକୁ କୁହାଯାଇଛି ଓ ଏହା ନିରାଟ ସତ। ଏହା ଉପରେ ପ୍ରଶ୍ନ ଉଠିବାର କୌଣସି ଅବକାଶ ନାହିଁ। ଏହି ଅସାଧୁ ଖେଳରେ ଏକ ଅଂଶ ହେବା ଲାଗି ମନା କରିବାକୁ ଗଣମାଧ୍ୟମର ସମସ୍ତ ଅଧିକାର ଅଛି। ଆଶା କରାଯାଏ, ଦେଶକୁ କ୍ଷତି କରିଥିବା ତଥା ଆମ ଜାତୀୟ ଗଣମାଧ୍ୟମକୁ ସଂକ୍ରମିତ ହୋଇଥିବା ପାଗଳପଣକୁ ବିରୋଧୀଙ୍କ ଏହି ପଦକ୍ଷେପ କିଛି ମାତ୍ରାରେ ସୁଧାରିପାରିବ।