Categories: ଜାତୀୟ

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୨୦।୧୦: ଜମ୍ମୂ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ କାଠୁଆ ଜିଲାର ହିରାନଗର ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ଏନେଇ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଏହାର ଉତ୍ତରରେ ଭାରତୀୟ ପୋଷ୍ଟଗୁଡ଼ିକରୁ ପାଲଟା ଗୁଳି ଚାଳନା କରାଯାଇଛି। ମଙ୍ଗଳବାର ଭୋର୍‌ ୫ଟା ୫ ପର୍ଯ୍ୟନ୍ତ ଦୁଇପକ୍ଷଙ୍କ ମଧ୍ୟରେ ଏଭଳି ଗୁଳିଗୋଳାମାଡ଼ ଜାରି ରହିଥିଲା। ଚଳିତ ବର୍ଷ ଅକ୍ଟୋବର ୬ ସୁଦ୍ଧା ଏଲ୍‌ଓସିରେ ପାକିସ୍ତାନ ୩ ହଜାର ୫୮୯ ଥର ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ୨୦୧୯ରେ ଏହା ୩ ହଜାର ୧୬୮ ଥିଲା। ଚଳିତ ଅକ୍ଟୋବର ମାସର ପ୍ରଥମ ୬ ଦିନରେ ୬୨ ଥର ଅସ୍ତ୍ର ବିରତି ଉଲ୍ଲଂଘନ ହୋଇଛି। ୨୦୨୦ ସେପ୍ଟେମ୍ବରରେ ପାକିସ୍ତାନ ସର୍ବାଧିକ ୪୨୭ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ମାର୍ଚ୍ଚରେ ୪୧୧, ଅଗଷ୍ଟରେ ୪୦୮ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Share