ସମସ୍ୟା ନ ସୁଧୁରିଲେ ମୋଦିଙ୍କ ଇସ୍ତଫା ଦାବି କରିିବେ ଲୋକେ: ସଞ୍ଜୟ ରାଉତ

ମୁମ୍ବାଇ,୨।୮: ଭାରତରେ ଦେଖାଦେଇଥିବା କରୋନା ମହାମାରୀ ରୋକିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅସଫଳ ରହିଛନ୍ତି। ସେହିପରି ଆର୍ଥିକ ସଙ୍କଟର ସମାଧାନ କରିବାକୁ ସରକାର ଅସମର୍ଥ। ଏପରି ଧାରା ଜାରି ରହିଲେ ଲୋକଙ୍କ ସହିବାର ସୀମା ଟପିଯିବ। ସେତେବେଳେ ଲୋକେ ମୋଦିଙ୍କ ଇସ୍ତଫା ଦାବି କରିବେ ବୋଲି ଶିବସେନାର ରାଜ୍ୟସଭା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି। ଶିବସେନା ମୁଖପତ୍ର ସାମନାରେ ଏନେଇ ସଞ୍ଜୟଙ୍କର ଏକ ଲେଖା ପ୍ରକାଶ ପାଇଛି। କରୋନା ମହାମାରୀ ଯୋଗୁ ଦେଶର ୧୦ କୋଟି ଲୋକେ ଚାକିରି ହରାଇ ବେକାର ବସିଛନ୍ତି। ସେହିପରି ଦେଶର ୪୦ କୋଟିରୁ ଅଧିକ ଗରିବ ପରିବାର ଏହାଦ୍ୱାରା ପ୍ରଭାବିତ ହୋଇଥିବା ସେ କହିଛନ୍ତି। ମଧ୍ୟମବର୍ଗ ବେତନଭୋଗୀ ଲୋକଙ୍କ ଚାକିରି ଚାଲି ଯାଇଛି। ସେହିପରି ଲକ୍‌ ଡାଉନ୍‌ ଯୋଗୁ ବ୍ୟବସାୟ ବନ୍ଦ ରହିବା ଦ୍ୱାରା ପ୍ରାୟ ୪ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ଇସ୍ରାଏଲ୍‌ରେ ମଧ୍ୟ ଭାରତ ଭଳି ସ୍ଥିତି ଯୋଗୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତ୍ୟାନେହୁଙ୍କ ବିରୋଧରେ ଲୋକେ ପ୍ରଦର୍ଶନ ଜାରି ରଖିଛନ୍ତି। ଏହାର ପ୍ରଭାବରେ ହୁଏତ ଆଗାମୀ ଦିନରେ ଭାରତରେ ମୋଦିଙ୍କ ବିରୋଧରେ ପ୍ରଦର୍ଶନ ହୋଇପାରେ ବୋଲି ସଞ୍ଜୟ କହିଛନ୍ତି। ଏବେ ସଞ୍ଜୟଙ୍କ ଏଭଳି ଲେଖାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share