Categories: ଜାତୀୟ

ପିଏମ୍‌-କେୟାର୍ସ ମାମଲା: ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୮।୭(ପି.ଟି.): ସୁପ୍ରିମକୋର୍ଟରେ ପିଏମ୍‌-କେୟାର୍ସ ପାଣ୍ଠି ମାମଲାର ଶୁଣାଣି ସୋମବାର ଶେଷ ହୋଇ ରାୟ ସଂରକ୍ଷିତ ରଖାଯାଇଛି। ଅଦାଲତରେ କେନ୍ଦ୍ର ସରକାର ପିଏମ୍‌-କେୟାର୍ସ ଫଣ୍ଡ ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। କରୋନା ମହାମାରୀର ମୁକାବିଲା ପାଇଁ ସ୍ବେଚ୍ଛାକୃତ ଦାନ ଗ୍ରହଣ କରିବା ନିମନ୍ତେ ଏହା ଏକ ସରକାରୀ ଟ୍ରଷ୍ଟ । ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏନ୍‌ଡିଆର୍‌ଏଫ୍‌) ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏସ୍‌ଡିଆର୍‌ଏଫ୍‌)କୁ ବଜେଟରେ ମଞ୍ଜୁର ହୋଇଥିବା ଅର୍ଥ ସହ ଏହାର କୌଣସି ସମ୍ପର୍କ ନ ଥିବା ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ରଖିଥିଲେ। ସେଣ୍ଟର ଫର ପବ୍ଲିକ୍‌ ଇଣ୍ଟେରେଷ୍ଟ ଲିଟିଗେଶନ (ସିପିଆଇଏଲ୍‌) ନାମକ ଏନ୍‌ଜିଓ ପକ୍ଷରୁ ପିଏମ୍‌-କେୟାର ପାଣ୍ଠି ବିରୋଧରେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। କୋଭିଡ୍‌-୧୯ ମୁକାବିଲା ପାଇଁ ପିଏମ୍‌-କେୟାର୍ସରେ ସଂଗୃହୀତ ଅର୍ଥକୁ ଏନ୍‌ଡିଆର୍‌ଏଫ୍‌କୁ ସ୍ଥାନାନ୍ତର କରାଯିବାକୁ ନିର୍ଦ୍ଦେଶ ଦେବା ଲାଗି ଉକ୍ତ ଏନ୍‌ଜିଓ ପକ୍ଷରୁ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରାଯାଇଥିଲା। ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏସ୍‌.କେ. କୌଲ ଏବଂ ଏମ୍‌.ଆର୍‌.ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି। ସୂଚନାଯୋଗ୍ୟ କୋଭିଡ୍‌-୧୯ ମହାମାରୀ ସମେତ ଅନ୍ୟାନ୍ୟ ଜରୁରୀ ସ୍ଥିତିର ମୁକାବିଲା ଓ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୮ରେ ପିଏମ୍‌-କେୟାର୍ସ ପାଣ୍ଠି ଗଠନ କରିଥିଲେ। ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଏହାର ଏକ୍ସଓଫିସିଓ ଟ୍ରଷ୍ଟି ରହିଛନ୍ତି।

Share