Categories: ଜାତୀୟ

ଭାଜପା କର୍ମୀଙ୍କୁ ମୋଦିଙ୍କ ଅପିଲ: କୃଷକଙ୍କ ପାଖକୁ ଯାଇ ସହଜରେ ବୁଝାଇ ଦିଅ କୃଷି ବିଲ୍‌

ନୂଆଦିଲ୍ଲୀ,୨୫ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତି ଅବସରରେ ଦେଶର ସମସ୍ତ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ସମସ୍ତ ଭାଜପା କର୍ମୀଙ୍କୁ କହିଛନ୍ତି ସେମାନେ ପ୍ରତିଟି କୃଷକଙ୍କ ପାଖକୁ ଯାଇ ସେମାନଙ୍କୁ କୃଷି ବିଲ୍ ସମ୍ପର୍କରେ ସରଳ ଭାବେ ବୁଝାଇ ଦିଅନ୍ତୁ । ମୋଦି କହିଛନ୍ତି ଉପା ସରକାର ୫ ବର୍ଷ ଶାସନ କାଳ ଭିତରେ କୃଷକଙ୍କୁ କେବଳ କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ ୨୦ ଲକ୍ଷ କୋଟି ଟଙ୍କା ଋଣ ପ୍ରଦାଦନ କରିଥିଲା । ହେଲେ ଭାଜପା ସରକାର ୫ ବର୍ଷ ଭିତରେ କୃଷକଙ୍କୁ ପାଖାପାଖି ୩୫ ଲକ୍ଷ କୋଟି ଟଙ୍କା କେସିସି ମାଧ୍ୟମରେ ଦେଇ ସାରିଛି । ସ୍ୱାଧିନତା ପରେ କେବଳ କୃଷକ ଓ ଶ୍ରମିକଙ୍କୁ ନେଇ ସବୁକିଛି ସ୍ଲେଗାନରେ ସୀମିତ ଥିଲା ହେଲେ ଏବେ ଭାଜପା ସରକାର ଏହାକୁ କରି ଦେଖାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଦେଶର କୃଷକ, ଶ୍ରମିକ ଭାଉଣୀ ଭାଇ, ଯୁବବର୍ଗ, ମଧ୍ୟମବର୍ଗଙ୍କ ହିତ ଉଦ୍ଦେଶ୍ୟରେ ବହୁତ ଭଲ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଭାରତକୁ ବିଶ୍ୱ ଦରବାରରେ ପରିଚିତ କରାଇବା, ୧୩୦ କୋଟିରୁ ଊର୍ଦ୍ଧ୍ୱ ଭାରତୀୟଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଏହା କେବଳ ଦିନଦୟାଲଙ୍କ ଭଳି ମହାନ୍ ବ୍ୟକ୍ତିଙ୍କ ଆଶିର୍ବାଦ ଯୋଗୁ ସମ୍ଭବ ହୋଇଛି । ସୂଚନାଯୋଗ୍ୟ, ଗୋଟିଏ ପଟେ କୃଷି ବିଲ୍‌କୁ ସାରା ଦେଶରେ କୃଷକ ବିରୋଧ କରୁଥିବା ବେଳେ ଅନ୍ୟପଟେ ଭାଜପା କର୍ମୀ ଘର ଘର ପହଞ୍ଚି ଏହାର ଲାଭ ବିଷୟରେ ସେମାନଙ୍କୁ ବୁଝାଇବାକୁ ମୋଦି କହିଛନ୍ତି ।

Share