Categories: ବାଣିଜ୍ୟ

ପର୍ଯ୍ୟଟନ ଲାଗି ଲିଜ୍‌ରେ କୋଚ୍‌ ଦେବ ରେଲଓ୍ବେ

ନୂଆଦିଲ୍ଲୀ,୧୩।୯: ରେଲଓ୍ବେ ଦ୍ୱାରା ସାରା ଦେଶରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଲାଗି ସରକାର ଯୋଜନା ରଖିଛନ୍ତି। ସ୍ପେଶାଲ ଥିମ୍‌ ବିଶିଷ୍ଟ ସାଂସ୍କୃତିକ, ଧାର୍ମିକ ଏବଂ ଟୁରିଷ୍ଟ ସର୍କିଟ ଟ୍ରେନ ଚଳାଚଳ କରାଇବାକୁ କୋଚ୍‌ଗୁଡିକୁ ଦୀର୍ଘ ମିଆଦୀ ଭିତ୍ତିରେ ଲିଜ୍‌ରେ ଦେବା ଲାଗି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ସାରା ଦେଶରେ ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା କ୍ଷମତାର ଫାଇଦା ଉଠାଇବାକୁ ସରକାର ଚାହୁଁଛନ୍ତି। ଟୁରିଷ୍ଟ ସର୍କିଟଗୁଡିକୁ ଲୋକପ୍ରିୟ କରାଇବା ଏବଂ ଏହାର ଉନ୍ନତୀକରଣ ଲାଗି ମାର୍କେଟିଂ ଏବଂ ହସ୍ପିଟାଲିଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞଙ୍କ ସହାୟତା ମଧ୍ୟ ଲୋଡ଼ାଯିବ।
ରେଳ ମନ୍ତ୍ରଣାଳୟ ପକ୍ଷରୁ ପର୍ଯ୍ୟଟନ ନୀତି ପ୍ରସ୍ତୁତି ଲାଗି ନିୟମ ଏବଂ ସର୍ତ୍ତ ସଂକ୍ରାନ୍ତ କାର୍ଯ୍ୟନିର୍ବାହୀ ସ୍ତରର ଏକ କମିଟି ଗଠନ କରାଯାଇଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି। ଏହି ଯୋଜନା ଲାଗି ଇଚ୍ଛୁକ ଥିବା ବ୍ୟକ୍ତିବିଶେଷଙ୍କୁ ରେଳ କୋଚ୍‌ଗୁଡିକୁ ଅତିକମ୍‌ରେ ପାଞ୍ଚବର୍ଷ ଲାଗି ପ୍ରଦାନ କରାଯିବ। ରେଳ କୋଚ୍‌ଗୁଡିକୁ କ୍ରୟ କରାଯାଇପାରିବ। ସେହିଭଳି ଏହାର ଡିଜାଇନ ଲାଗି କିଛିଟା ପରିବର୍ତ୍ତନ ମଧ୍ୟ କରାଯାଇପାରିବ। ରେଳ ଟ୍ରାକ, ସିଗନାଲିଂ ଭଳି ଭିତ୍ତିଭୂମି ଖର୍ଚ୍ଚ ଏହା ମାଧ୍ୟମରେ ମଧ୍ୟ ଆଦାୟ କରାଯିବ। କୋଚ୍‌ଗୁଡିକ ନିଜ ପରିସରରେ ଛିଡା କରିବା କ୍ଷେତ୍ରରେ ମଧ୍ୟ ରେଲଓ୍ବେ ଭଡା ନେବ ବୋଲି ଜଣାପଡିଛି।
ପ୍ରାଇଭେଟ ଅପରେଟରଙ୍କୁ ଏହି ଟ୍ରେନଗୁଡିକର ବିଜନେସ ମଡେଲ ପ୍ରସ୍ତୁତ କରିବା ଲାଗି ଅଧିକାର ମିଳିବ। ରୁଟ ଏବଂ ଭଡା ସକ୍ରାନ୍ତ ନିଷ୍ପତ୍ତି ମଧ୍ୟ ଏମାନେ ଗ୍ରହଣ କରିବେ। ଅତିରିକ୍ତ ଆୟ କରିବା ଲାଗି ରେଲଓ୍ବେ ଏହି ଟ୍ରେନଗୁଡିକରେ ତୃତୀୟ ପକ୍ଷଙ୍କୁ ବିଜ୍ଞାପନ ଦେବାର ସୁଯୋଗ ମିଳିବ। ରେଳପଥ ପକ୍ଷରୁ କୁହାଯାଇଛି, ଏହି ଟ୍ରେନଗୁଡିକ ଲାଗି ସମୟକୁ ସମ୍ପୂର୍ଣ୍ଣ ଭାବେ ନଜରରେ ରଖାଯିବ। କୋଚ୍‌ଗୁଡିକର ଡିଜାଇନ ଏବଂ ରୁଟ ସମ୍ପର୍କରେ ମଞ୍ଜୁରୀ ଠିକ୍‌ ସମୟରେ ପ୍ରଦାନ କରାଯିବ ବୋଲି କୁହାଯାଇଛି।

Share