ଐତିହାସିକ ରାୟ: ଏହି ମହିଳାଙ୍କୁ ମିଳିଲା ଇଚ୍ଛା ମୃତ୍ୟୁର ଅଧିକାର, ଖୁସି କହିଲେ ନ ସରେ…

ଲିମା,୪।୩: ୪୪ ବର୍ଷୀୟା ଜଣେ ମହିଳା କିଛି ବର୍ଷ ଧରି ‘ଇଚ୍ଛା ମୃତ୍ୟୁ ଅଧିକାର’ ପାଇଁ ଲଢୁଥିଲେ। ବର୍ତ୍ତମାନ ପେରୁ ସରକାର ଏକ ଐତିହାସିକ ରାୟ ଶୁଣାଇଛନ୍ତି। ସରକାର ତାଙ୍କୁ ମରିବା ପାଇଁ ଅଧିକାର ଦେଇଛନ୍ତି। ଏନା ଏଷ୍ଟ୍ରାଡା ନାମକ ଏହି ମହିଳା ଜଣେ ସାଇକୋଲୋଜିଷ୍ଟ। ସେ ୧୨ ବର୍ଷ ଧରି ଏକ ରୋଗ ସହ ଲଢ଼ି ଆସୁଛନ୍ତି।

ଏନା ପିଲିମାୟୋସିଟିସ୍‌ ରୋଗରେ ପୀଡ଼ିତ। ଏହି ରୋଗ ମଣିଷର ମାଂସପେଶୀକୁ ନଷ୍ଟ କରି ଦେଇଥାଏ। ଫଳରେ ଏନା ଦୀର୍ଘ ସମୟ ବିଛଣାରେ ଶୋଇ ରୁହନ୍ତି। ୫ ବର୍ଷ ତଳେ ସେ ନିଜ ପାଇଁ ଇଚ୍ଛା ମୃତ୍ୟୁ ଦାବି କରିଥିଲେ। ମାତ୍ର କେତେକ ଦେଶରେ ଏହା ବେଆଇନ। ପେରୁର ଅନେକ ଲୋକ ଏହାକୁ ବିରୋଧ କରିଥାନ୍ତି। ପେରୁରେ ଗର୍ଭପାତ ଏବଂ ସମଲିଙ୍ଗୀ ବିବାହ ଉପରେ ମଧ୍ୟ ନିଷୋଧାଦେଶ ରହିଛି। ଏହି କାରଣରୁ ପେରୁ ସରକାରଙ୍କ ଏପରି ନିଷ୍ପତ୍ତିକୁ ଐତିହାସିକ ରାୟ ଭାବରେ ବର୍ଣ୍ଣନା କରାଯାଉଛି।

ସରକାର ଇଚ୍ଛା ମୃତ୍ୟୁ ପାଇଁ ନିଷ୍ପତ୍ତି ଶୁଣାଇଥିବାରୁ ଏନାଙ୍କ ଖୁସି କହିଲେ ନ ସରେ। ଏନା କହିଛନ୍ତି, ଯଦିଓ ଏହା ତାଙ୍କର ବ୍ୟକ୍ତିଗତ ମାମଲା କିନ୍ତୁ ମୁଁ ଆଶା କରେ ଏହି ମାମଲା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ହେବ। ମୁଁ ଭାବୁଛି ଏହା କେବଳ ମୋ’ ପାଇଁ ସଫଳତା ନୁହେଁ ପେରୁବାସୀଙ୍କ ପାଇଁ ନ୍ୟାୟ ଏବଂ ଆଇନର ଏକ ବଡ଼ ସଫଳତା।

ଉଲ୍ଲେଖନୀୟ ଯେ, ଗତ ଫେବୃୟାରୀ ମାସର ଶେଷ ସପ୍ତାହରେ ପେରୁର କୋର୍ଟ ଏହି ରାୟ ଶୁଣାଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଶ୍ଚିତ କରିବା ଉଚିତ୍‌ ଯେ ଏନା ଯେତେବେଳେ ମୃତ୍ୟୁବରଣ କରିବେ ସେତେବେଳେ ତାଙ୍କ ପାଇଁ ଥିବା ସମସ୍ତ ସର୍ତ୍ତ ପ୍ରଦାନ କରାଯିବା ଉଚିତ୍‌।

Share