Categories: ଜାତୀୟ

ଜନସାଧାରଣ ପାଳିବେ ବିଜୟ ଉତ୍ସବ: ତେଜସ୍ବୀ

ପାଟନା,୮।୧୧:: ଭାଜପା ଓ ଜେଡିୟୁ ସରକାରଙ୍କୁ ଗାଦିଚ୍ୟୁତ କରି ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ନେତୃତ୍ୱରେ ଗଠିତ ମହାଗଠବନ୍ଧନ ବିହାରରେ ସରକାର ଗଠନ କରିବ ବୋଲି ଏକଜିଟ ପୋଲ ଫଳାଫଳରୁ ସ୍ପଷ୍ଟ ହୋଇଛି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୨୨। ଏକାଧିକ ଏକଜିଟ ପୋଲ ମହାଗଠବନ୍ଧନ ବେଶ ଆରାମରେ ମ୍ୟାଜିକ ନମ୍ବର ହାସଲ କରିନେବ ବୋଲି ଆକଳନ କରିଛନ୍ତି। ଏକାଧିକ ସଂସ୍ଥା କରିଥିବା ସର୍ଭେ ରିପୋର୍ଟକୁ ଆକଳନ କଲେ ମହାଗଠବନ୍ଧନ ହିଁ ସବୁଥିରେ ଆଗରେ ରହିଛି। ଫଳାଫଳ ଆସିବା ପୂର୍ବରୁ ତେଜସ୍ବୀ ଯାଦବ ଆରଜେଡି ପ୍ରାର୍ଥୀଙ୍କୁ ଏକ ବାର୍ତ୍ତା ପଠାଇଛନ୍ତି। ସେ ନିଜ ବାର୍ତ୍ତାରେ କହିଛନ୍ତି ଯେ ନଭେମ୍ବର ୧୦ରେ ଫଳାଫଳ ଆସିବା ପରେ ରାଷ୍ଟ୍ରିୟ ଜନତା ଦଳ ପ୍ରାର୍ଥୀମାନେ ସରଳତା ଏବଂ ନମ୍ରତା ଦେଖାଇବା ଉଚିତ୍‌। ଫଳାଫଳ ପରେ ପ୍ରାର୍ଥୀମାନେ ନିଜ ନିର୍ବାଚନମଣ୍ଡଳୀରେ ବିଜୟ ପଦଯାତ୍ରା କରିବା ଉଚିତ ନୁହେଁ। ଜନସାଧାରଣ ଏହି ବିଜୟ ଉତ୍ସବ ପାଳନ କରିବେ। ଫଳାଫଳ ସମୟରେ ପ୍ରାର୍ଥୀମାନେ ନିଜ ଅଞ୍ଚଳରେ ରହିବେ ଏବଂ କେବଳ ପ୍ରମାଣପତ୍ର ନେବା ପରେ ପାଟନାକୁ ଫେରିବେ ବୋଲି ସେ କହିଛନ୍ତି। ଏହି ସମୟ ମଧ୍ୟରେ ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇବା ଭଳି ନେତାମାନଙ୍କୁ କୌଣସି ବିଜୟ ଶୋଭାଯାତ୍ରା ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାର୍ଥୀଙ୍କ ନିକଟକୁ ଏହି ବାର୍ତ୍ତା ପଠାଇବା ପାଇଁ ୪ ଜଣିଆ ଟିମ ଗଠନ କରାଯାଇଛି ଯେଉଁଥିରେ ସୁନୀଲ ସିଂ, ସଞ୍ଜୟ ଯାଦବ, ଶ୍ୟାମ ରାଜକ ଏବଂ ଜଗଦାନନ୍ଦ ସିଂ ଅଛନ୍ତି।

Share