ସେପ୍ଟେମ୍ବରରେ ବି ଖୋଲିବନି ସ୍କୁଲ: ୫୮ ପ୍ରତିଶତ ଅଭିଭାବକ ଅରାଜି !

ନୂଆଦିଲ୍ଲୀ, ୧୧।୮: କରୋନା ମହାମାରୀ ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଲକ୍‌ ଡାଉନ୍‌ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। ଅନ୍‌ଲକ୍‌ର ତୃତୀୟ ପର୍ଯ୍ୟାୟରେ କେତେକ ବ୍ୟବସାୟିକ ଅନୁଷ୍ଠାନ ଖୋଲଯାଇଥିଲେ ମଧ୍ୟ ସ୍କୁଲ କଲେଜ ପୂର୍ବପରି ବନ୍ଦ ରହିଛି। ପୂର୍ବରୁ କୁହାଯାଉଥିଲା ଯେ, ହୁଏତ ସେପ୍ଟେମ୍ବର ୧ରେ ଅବା ଶେଷ ସୁଦ୍ଧା ସ୍କୁଲ ଖୋଲାଯିବ। ଏନେଇ ରାଜ୍ୟ ସରକାର ଏବଂ ଅଭିଭାବକଙ୍କଠାରୁ କେନ୍ଦ୍ର ସରକାର ସ୍କୁଲ ଖୋଲିବା ନେଇ ମତାମତ ଲୋଡ଼ିଥିଲେ। ତେବେ ୫୮ ପ୍ରତିଶତ ଅଭିଭାବକ ସୁରକ୍ଷା ଦୃଷ୍ଟିରୁ ସ୍କୁଲ ନ ଖୋଲିବାକୁ ମତ ପୋଷଣ କରିଛନ୍ତି। ଏକ ସର୍ଭେରେ ଅଭିଭାବକମାନେ ଏଭଳି ମତ ଦେଇଛନ୍ତି। ସର୍ଭେରେ ୨୫ ହଜାରରୁ ଅଧିକ ଅଭିଭାବକଙ୍କୁ ସାମିଲ୍‌ କରାଯାଇଥିଲା। ସ୍କୁଲ ବନ୍ଦ ହେବାରୁ ପାଠପଢ଼ା ସହିତ ବହୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳୁ ନ ଥିବାରୁ ଶିକ୍ଷା ମନ୍ତ୍ରଣାଳୟ ଏବଂ ସଂସଦୀୟ କମିଟିର ବୈଠକରେ ଚିନ୍ତା ବ୍ୟକ୍ତ କରାଯାଇଛି। ଏବେ ସ୍କୁଲ ଖୋଲିବାର କୌଣସି ଯୋଜନା ନାହିଁ ବୋଲି ଶିକ୍ଷାମନ୍ତ୍ରଣାଳୟ ସଂସଦୀୟ କମିଟି ସମ୍ମୁଖରେ ମତ ଉପସ୍ଥାପନ କରିଛନ୍ତି। ସ୍କୁଲ ଖୋଲିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମତ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ୨୦୨୦-୨୧ ଶୂନ ଶିକ୍ଷା ବର୍ଷ ହେବ ନାହିଁ ବୋଲି ବୈଠକରେ ମତପ୍ରକାଶ ପାଇଛି। ଅବସ୍ଥା ସୁଧୁରିଲେ ସ୍କୁଲ ଖୋଲିବାର ଉଦ୍ୟମ ହେବାର ସମ୍ଭାବନା ରହିଛି।

Share