ଦାରିଙ୍ଗବାଡି,୧୪।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତି ହେଉଛି। ଅସହ୍ୟ ଶୀତ ଯୋଗୁ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ନିଆଁ ଭରସା ତେବେ ଲୋକଙ୍କୁ ଶୀତ ଦାଉରୁ ରକ୍ଷା ପାଇଁ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଲାୟନ୍ସ କ୍ଲବ ପକ୍ଷରୁ ଶନିବାର ଗରିବ ଶ୍ରେଣୀ ରେଖା ତଳେ ରହିଥିବା ଲୋକଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯିବା ସହ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ଏହି ଅବସରରେ କ୍ଲବର କ୍ୟାବିନେଟ ସଦସ୍ୟ ସୌମିକ ସାହୁଙ୍କ ଅଧ୍ୟକ୍ଷତାରେ ଜିଲା ଗଭର୍ଣ୍ଣର ସରସ୍ବତୀ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଜିଲା ପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ କ୍ଲବର କର୍ମକର୍ତ୍ତା ତଥା କ୍ଲବର ସଭାପତି ଶିବ ଶଙ୍କର ପଣ୍ଡା, ସମ୍ପାଦକ ମହେଶ୍ୱର ସାହୁ, କୋଷଧ୍ୟକ୍ଷ ସୀତାରାମ ପଣ୍ଡା, ସିଏଚ ସରୋଜ ପାତ୍ର, ଏନ.ସନ୍ତୋଷ ଚୌଧରୀ, ପୂର୍ବତନ କୁଳପତି ତଥା କ୍ଲବ ସଦସ୍ୟ ଶିବ ପ୍ରସାଦ ଅଧିକାରୀ, ବିଜୟ କୁମାର ସାହୁ, ରାଜେଶ କୁମାର ପାତ୍ର, ଗିରିଶ ଚନ୍ଦ୍ର ସାହୁ, ସନ୍ତୋଷ ବିଶୋଇ ପ୍ରମୁଖ ଉପସ୍ଥିତି ରହି କମ୍ବଳ, ଟୋପି ଆଦି ଶୀତ ବସ୍ତ୍ର ପ୍ରଦାନ କରିଥିଲେ । ଏଥି ସହ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଦିଆଯାଇଥିଲା। ଶୀତ ବୃଦ୍ଧା ବୃଦ୍ଧଙ୍କ ସମେତ ଅସହାୟ ଲୋକଙ୍କ ପାଇଁ ବହୁତ କଷ୍ଟଦାୟକ ହୋଇଥିବା ବେଳେ ସେମାନଙ୍କୁ କ୍ଲବ ପକ୍ଷରୁ ଶୀତ ବସ୍ତ୍ର ପ୍ରଦାନ କରାଯିବା ପରେ ଲୋକଙ୍କ ମୁହଁରେ ହସ ଫୁଟିଛି।
ସୂଚନାଯୋଗ୍ୟ, ପ୍ରତିବର୍ଷ କ୍ଲବ ପକ୍ଷରୁ ଗୋଟିଏରୁ ଦୁଇଟି ପଞ୍ଚାୟତ ଅଞ୍ଚଳରେ ଏହି ଶୀତବସ୍ତ୍ର ପ୍ରଦାନ କରାଯାଉଥିବା ବେଳେ ଉକ୍ତ ବ୍ଲକ ଅଞ୍ଚଳରେ ଚଳିତ ବର୍ଷକୁ ମିଶାଇ ଦୀର୍ଘ ୧୦ ବର୍ଷ ହେଲା ଲୋକଙ୍କୁ କ୍ଲବ ଶୀତବସ୍ତ୍ର ଯୋଗାଇ ଆସୁଛି ଆଗାମୀ ଦିନରେ ବ୍ଲକ ଅଞ୍ଚଳର ୨୫ ପଞ୍ଚାୟତ ଅଞ୍ଚଳରେ ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ ବ୍ଲକର ସଦସ୍ୟମାନେ ଲକ୍ଷ ରଖିଥିବା କହିଛନ୍ତି ।