Categories: ଜାତୀୟ

ଭାଜପାକୁ ଶିବସେନାର କଟାକ୍ଷ

ମୁମ୍ବାଇ, ୧୫।୧୦: ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ପୂର୍ବରୁ ବାକ୍‌ଯୁଦ୍ଧ ଜାରି ରହିଥିବାବେଳେ ଏବେ ଚିଠି ଯୁଦ୍ଧ ଆରମ୍ଭ ହୋଇଛି। ଏହାକୁ ନେଇ ଶିବସେନା ପକ୍ଷରୁ ଭାଜପାକୁ କଟାକ୍ଷ କରାଯାଇଛି। ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି ଯେ, ମନ୍ଦିର ଖୋଲିବାକୁ ନେଇ ଭାଜପାର ପେଟ ଯନ୍ତ୍ରଣା ଆରମ୍ଭ ହୋଇଛି। ସେହିପରି ସାମ୍ବିଧାନିକ ପଦବୀରେ ବସିଥିବା ରାଜ୍ୟପାଳଙ୍କ ପ୍ରସବ ପୀଡ଼ା ମଧ୍ୟ ଆରମ୍ଭ ହୋଇଯାଇଛି। ଏବେ ସାମନାରେ ପ୍ରକାଶିତ ଏହି କଟାକ୍ଷ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କ ମନ୍ତବ୍ୟକୁ ନେଇ ଶିବସେନା ଏବଂ କଂଗ୍ରେସ ପକ୍ଷରୁ ଆପତ୍ତି ପ୍ରକାଶ ପାଇଛି। ଶିବସେନା ରାଜ୍ୟପାଳଙ୍କୁ ହଟାଇବା ଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ଚିଠି ଲେଖିବ ବୋଲି ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Share