ନୂଆଦିଲ୍ଲୀ, ୧୪।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ପୁଣି ସଙ୍କଟ ଘନେଇବାରେ ଲାଗିଛି। ଫଳରେ ପୁଣି ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ମହାରାଷ୍ଟ୍ର, କେରଳ, କର୍ନାଟକ, ଦିଲ୍ଲୀ ଆଦି ୪ ରାଜ୍ୟରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି। ଦିଲ୍ଲୀରେ ମାସ୍କ ନପିନ୍ଧିଲେ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।
ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ଲକ୍ଷେ ୧୬ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଛି। ଏହା ୧୪ ହଜାର ୯୨ ରହିଛି। ଗୋଟିଏ ଦିନ ତଳେ ଏହା ୧୫ ହଜାର ୮୧୫ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା କମି ୪୧ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୬୮ ଥିଲା। ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୧୬ ହଜାର ୮୬୧ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ଲକ୍ଷେ ୧୯ ହଜାର ୨୬୪ ଥିଲା। ସେହିପରି ୨୪ ଘଣ୍ଟାରେ ୧୬ ହଜାର ୪୫୪ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୨୦ ହଜାର ୧୮ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୭ ହଜାର ୩୭ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୨ ଲକ୍ଷ ୫୩ ହଜାର ୪୬୪ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୬ ଲକ୍ଷ ୯ ହଜାର ୫୬୬ ଜଣ ସୁସ୍ଥ ହୋଇ ସାରିଛନ୍ତି।