Categories: ଜାତୀୟ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଚା’ ଚର୍ଚ୍ଚା: କପ୍‌ ଧରିଲେ ହରିବଂଶ

ନୂଆଦିଲ୍ଲୀ, ୨୨।୯: ଆଗକୁ ବିହାର ବିଧାନସଭା ନିର୍ବାଚନ। ଏପରିସ୍ଥଳେ ମୌସୁମୀ ଅଧିବେଶନରେ ରାଜ୍ୟ ସଭାରେ ହୋଇଥିବା ହଙ୍ଗାମାରେ ୮ ଏମ୍‌ପିଙ୍କୁ ନିଲମ୍ବିତ କରାଯିବା ପରେ ଘଟଣା ନୂଆ ମୋଡ ନେଇଛି। ଉପ ବାଚସ୍ପତି ବିହାର ଜନସାଧାରଣଙ୍କ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଥିବା ଚା’ କପ୍‌ ନେଇ ଧାରଣା ଦେଉଥିବା ଏମ୍‌ପିଙ୍କ ପାଖରେ ପହଞ୍ଚିଛନ୍ତି। ଏଥିରେ ଆନ୍ତରିକତା ଅପେକ୍ଷା ରାଜନୈତିକ ଉଦ୍ଦେଶ୍ୟ ଥିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସେଥିପାଇଁ ଜାଣିଶୁଣି ହରିବଂଶଙ୍କ ହାତରେ ଚା’ କପ୍‌ ଧରାଇ ଦିଆଯାଇଛି। ୨୦୧୪ ଲୋକ ସଭା ନିର୍ବାଚନରେ ଭାଜପା ଚା’କୁ ନିଜ ଏଜେଣ୍ଡାରେ ସାମିଲ୍‌ କରିଥିଲା। ପରବର୍ତ୍ତୀ ସମୟରେ ଦଳ ବେଶ୍‌ ସଫଳ ମଧ୍ୟ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ଜଣେ ଚା’ ବାଲା ଭାବେ ପ୍ରୋଜେକ୍ଟ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଚା’ ପେ ଚର୍ଚ୍ଚା କାର୍ଯ୍ୟକ୍ରମ। ୨୦୧୯ ଲୋକ ସଭା ନିର୍ବାଚନରେ ଚୌକିଦାର ପ୍ରସଙ୍ଗ ଗୁରୁତ୍ୱ ବହନ କରିଥିଲା। ଏବେ ପୁଣି ବିହାର ନିର୍ବାଚନ ପୂର୍ବରୁ ହରିବଂଶଙ୍କ ଦ୍ୱାରା ଭାଜପା ପକ୍ଷରୁ ଚା’ ଚର୍ଚ୍ଚା ଆରମ୍ଭ କରାଯାଇଛି। ହରିବଂଶଙ୍କ କାର୍ଯ୍ୟକୁ ମୋଦି ପ୍ରଶଂସା ମଧ୍ୟ କରିଛନ୍ତି। ମୋଦି ପ୍ରଶଂସା କରି ବିହାରର ପରମ୍ପରା କଥା ମଧ୍ୟ କହିଛନ୍ତି। ତେଣୁ ଏହା ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇଛି ବୋଲି ବିରୋଧୀ କହିବା ଆରମ୍ଭ କରିଛନ୍ତି। ତେବେ ବିହାର ବିଧାନସଭା ନିର୍ବାଚନରେ ଚା’ କପ୍‌ରେ ଉଠିଥିବା ଏହି ଝଡ଼ କେତେ ଦୂର ସଫଳ ହେବ ସେ ନେଇ ଚର୍ଚ୍ଚା ହେଉଛି।

Share