ଓଡ଼ିଶାରୁ ହଟିଲା କୋଭିଡ୍‌ ମହାମାରୀ ଆଇନ

ଭୁବନେଶ୍ୱର,୧ା୪ (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ସହ ଜୀବନଜୀବିକା ସ୍ବାଭାବିକ ହେବା ପରେ ରାଜ୍ୟ ସରକାର ସମସ୍ତ କୋଭିଡ୍‌ କଟକଣାକୁ ହଟାଇ ଦେଇଛନ୍ତି। ଏଣିକି ଆଉ କୋଭଡ୍ଡ୍‌ ବିପର୍ଯ୍ୟୟ ଆଇନ ବା ମହାମାରୀ ଆଇନ ଅନ୍ତର୍ଗତ ହେବନାହିଁ। ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ କୋଭିଡ୍‌ ପରିଚାଳନା କରାଯାଉଥିବାବେଳେ ଏହି ମହାମାରୀ ସଂକ୍ରାନ୍ତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇଛି। ଏନେଇ ଗୁରୁବାର ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସରକାର ମାର୍ଚ୍ଚ ୨୮ରେ ଏହି କୋଭିଡ୍‌ ପରିଚାଳନାକୁ ବିପର୍ଯ୍ୟୟ ଆଇନ୍‌ -୨୦୦୫ରୁ ବାଦ୍‌ ଦେବାକୁ ବିଜ୍ଞପ୍ତି ଜାରି କରିଥିଲେ। ପ୍ରାୟ ୨ ବର୍ଷ ପରେ ରାଜ୍ୟରୁ ମହାମାରୀ କଟକଣା ହଟିଛି। ତେବେ ମାସ୍କ ପିନ୍ଧିବା ଓ ହାତ ଧୋଇବା ଜାରି ରଖିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଯଦି ଭବିଷ୍ୟତରେ କୋଭିଡ୍‌ ସ୍ଥିତି ବୃଦ୍ଧି ପାଏ, ପୁନର୍ବାର ଆଇନ ଲାଗୁ ହୋଇପାରେ। ପୂର୍ବରୁ କୋଭିଡ ମହାମାରୀ ଆଇନକୁ କେନ୍ଦ୍ର ସରକାର ହଟାଇ ଦେଇ ଥିବାବେଳେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି।

Share