ଭୁବନେଶ୍ୱର, ୧୪ା୧୨(ବ୍ୟୁରୋ): ସାରା ରାଜ୍ୟରେ ଏବେ ଥଣ୍ଡାର ପ୍ରକୋପ ସାମାନ୍ୟ କମ୍ ରହିଛି। କିନ୍ତୁ ସକାଳୁ ଘନ କୁହୁଡ଼ିରେ ଆଚ୍ଛାଦିତ ହେଉଛି ରାଜ୍ୟର ଅଧିକାଂଶ ଅଞ୍ଚଳ। ପ୍ରାୟ ୮ଟା ପର୍ଯ୍ୟନ୍ତ କୁହୁଡ଼ି ରହୁଥିବାରୁ ରାସ୍ତାଘାଟରେ ଯାତାୟାତରେ ଅସୁବିଧା ହେଉଛି। ରବିବାର କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ବୌଦ୍ଧରେ ଅଧିକ କୁହୁଡ଼ି ପରିଲକ୍ଷିତ ହୋଇଥିଲା। ସୋମବାର ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ କୁହୁଡ଼ି ରହିବ। ରାୟଗଡ଼ା, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ନୟାଗଡ଼ରେ କୁହୁଡ଼ି ଦେଖାଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଆସନ୍ତା ୧୭ ତାରିଖରୁ ରାଜ୍ୟରେ ଶୀତ ବଢ଼ିବ। ରାତିର ତାପମାତ୍ରା ପ୍ରାୟ ୪ରୁ ୫ଡିଗ୍ରୀ ହ୍ରାସ ପାଇବ। କିନ୍ତୁ ୧୬ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବଳ୍ପ ଧରଣର ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ରବିବାର ସୁନ୍ଦରଗଡ଼ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୨.୦ଡିଗ୍ରୀ ରହିଥିବାବେଳେ କୋରାପୁଟରେ ୧୩.୨, ଭବାନୀପାଟଣା ଓ ବାରିପଦାରେ ୧୪.୦, ବଲାଙ୍ଗୀର ଓ ବୌଦ୍ଧରେ ୧୫.୦ ଡିଗ୍ରୀ ରେକର୍ଡ କରାଯାଇଛି।