କୋକସରା/ଭବାନୀପାଟଣା:୧୩।୫: କରୋନା ଏବେ ଗାଁ ମୁହାଁ। ଗାଁର ଭୟ, ଆତଙ୍କର ବାତାବରଣ। ଦିନେ ଗାଁ ଦାଣ୍ଡ ସକାଳୁ ଗୋଧୂଳି ସହ ସନ୍ଧ୍ୟାରେ ମନ୍ଦିର ଘଣ୍ଟ ଶବ୍ଦରେ ଫାଟି ପଡୁଥିଲା। ଆଜି ସେଇଠି ନୀରବତା । ଗାଁ ଦାଣ୍ଡ ଶୂନ୍ଶାନ। ତାଟି କବାଟ ପଡିଛି କରୋନା ଭୟରେ। କେହି ଘରୁ ଗୋଡ଼ କାଢୁ ନାହାଁନ୍ତି । ଘରେ ଘରେ ଲୋକଙ୍କୁ ଜ୍ୱର, ଥଣ୍ଡା କାଶ। ହେଲେ ବାସନ୍ଦ ଭୟରେ ଲୋକେ କୋଭିଡ ପରୀକ୍ଷା କରାଉନାହାନ୍ତି । ଗାଁ କବିରାଜଙ୍କ ଭରସାରେ ଚିକିତ୍ସିତ ହେଉଛନ୍ତି। ଏହା ହେଉଛି ବର୍ତ୍ତମାନ ଗାଁର ବାସ୍ତବ ଚିତ୍ର ।
ତେବେ କଳାହାଣ୍ଡି ଜିଲା କୋକସରା ବ୍ଲକର ଟେମରା ପଞ୍ଚାୟତ ବୋବରିଆ ଗ୍ରାମରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଗ୍ରାମବାସୀ ଶରଣ ପଶିଛନ୍ତି ଗ୍ରାମ ଦେବଦେବୀଙ୍କ ନିକଟରେ । ୩ ଦିନ ହେଲା ଗ୍ରାମବାସୀ ଜାଗର ଜାଳି ମାନସିକ କରିଛନ୍ତି। ମା’ ଏହି ମାହାବିପତ୍ତିରୁ ରକ୍ଷା କର। ଗ୍ରାମର ଦେବୀ ମା’ ଠାକୁରାଣୀ, ମା’ ଲଙ୍କେଶ୍ୱରୀ, ମା’ ମାଣିକେଶ୍ୱରୀ, ମା’ ପଞ୍ଚମୁଖି କାଳୀ, ମା’ କାଳୀ ବାଉରି, ମା’ ପରଦେଶୀଆଣି, ମାଟି ମା’, ବାବା କାଳେଶ୍ୱର ମହାଦେବଙ୍କ ନିକଟରେ ଗ୍ରାମବାସୀ ପୂଜାର୍ଚ୍ଚନା କରୁଛନ୍ତି। ଗ୍ରାମବାସୀଙ୍କ ବିଶ୍ୱାସ କରୋନା ମହାମାରୀରୁ ଦେବଦେବୀ ହିଁ ରକ୍ଷା କରିପାରିବେ। ବୋବରିଆ ଗ୍ରାମର ଗୌନ୍ତିଆ ରୋହିତ ମାଝିଙ୍କ ତତ୍ତ୍ୱାବଧାନରେ ଦେବୀଙ୍କ ପୂଜକ ପୁରନ୍ଦର ପୂଜାରୀ, ଶିରା ସୁରେନ୍ଦ୍ର ମାଝି, ନନ୍ଦ ରାଉତ, ପିତାମ୍ବର ଖମାରୀଙ୍କ ସମେତ ଗ୍ରାମବାସୀ ଦେବଦେବୀଙ୍କ ଶରଣାପନ୍ନ ହୋଇଛନ୍ତି।