ବିଜେଡିରେ ଆଶାୟୀ ଅନେକ, ଆଗରେ ବିଦୁବେନ୍ଦୁ

ବାଲେଶ୍ୱର, ୫।୪(ମାନସ ବିଶ୍ୱାଳ):ବାଲେଶ୍ୱର ଜିଲାର ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଦୁଇ ପ୍ରମୁଖ ରାଜନୈତିକ ଦଳ ଭାଜପା ଓ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବିଶେଷକରି ବିଜେଡି ଆଶାୟୀଙ୍କୁ ନେଇ କଳ୍ପନାଜଳ୍ପନା ବଢ଼ିଚାଲିଛି। ବର୍ତ୍ତମାନର ବିଧାୟକ ଅନନ୍ତ ଦାସଙ୍କୁ ବାର୍ଦ୍ଧକ୍ୟଜନିତ କାରଣରୁ ଦଳ ପ୍ରାର୍ଥୀ କରି ନ ପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଅନ୍ୟ ଆଶାୟୀମାନେ ଟିକେଟ ପାଇଁ ଜୋରଦାର ଲବି ଚଳାଇଛନ୍ତି। ଏହି ଟିକେଟ ଦୌଡ଼ରେ ଜିଲାର ସାମାଜିକ କର୍ମୀ ତଥା ଶିକ୍ଷାବିତ୍‌ ବିଦୁବେନ୍ଦୁ ପାତ୍ର ଆଗରେ ରହିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।
ଏହି ନିର୍ବାଚନମଣ୍ଡଳୀ ୧୯୯୦ରୁ ଜନତା ଦଳ ଦଖଲରେ ଥିବା ବେଳେ ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଅକ୍ତିଆରରେ ଅଛି। ବିଜେଡି ଟିକେଟ ଲବିରେ ଆଗୁଆ ଥିବା ଶିକ୍ଷାବିତ୍‌ ବିଦୁବେନ୍ଦୁ ପାତ୍ର ୨୦୦୯ରୁ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କରି ଶିକ୍ଷାବିତ୍‌ ଭାବେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଭଳି ଜିଲାରେ ବହୁ ଛାତ୍ରୀଛାତ୍ରଙ୍କୁ ଶିକ୍ଷିତ କରାଇଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଟପ୍ପର ହେବା ଭଳି ଛାତ୍ର ତାଙ୍କ ଶିକ୍ଷାନୁଷ୍ଠାନରୁ ବାହାରିଛନ୍ତି। ବହୁ ମେଧାବୀ ଛାତ୍ରୀଛାତ୍ରଙ୍କୁ ବିନା ଅର୍ଥରେ ସେ ପଢ଼ିବାର ସୁଯୋଗ ଦେଇଛନ୍ତି। କୋଭିଡ୍‌ ସମୟରେ ଭୋଗରାଇ ସମେତ ବାଲେଶ୍ୱର ଜିଲାରେ ଲୋକଙ୍କ ସେବା କରିଛନ୍ତି। ବିଶେଷକରି ଭୋଗରାଇ ନିର୍ବାଚନମଣ୍ଡଳୀରେ ପ୍ରାକୃତିକ ଦୁର୍ବିପାକ ସମୟ ଏବଂ ସାମୂହିକ କାର୍ଯ୍ୟରେ ସବୁବେଳେ ଲୋକଙ୍କୁ ସାହାଯ୍ୟ କରିଆସୁଥିବାରୁ ସମର୍ଥକମାନେ ତାଙ୍କୁ ଟିକେଟ ମିଳୁ ବୋଲି ଦାବି କରୁଛନ୍ତି। ବିଦୁବେନ୍ଦୁଙ୍କ ବ୍ୟତୀତ ବିଧାୟକ ଅନନ୍ତ ଦାସଙ୍କ ପୁଅ ଅଭିଜିତ୍‌ ଦାସ, ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ବିଜେଡି ଜିଲା ସମ୍ପାଦକ ଭୁବନାନନ୍ଦ ଦାସ, ବିଜେଡିର ଦେବଗଡ଼ ଜିଲା ପର୍ଯ୍ୟବେକ୍ଷକ ଗୌତମବୁଦ୍ଧ ଦାସ, ଡା. ସରୋଜ ଦାସ ମଜୁମଦାର, ବିଜେଡିର ବରିଷ୍ଠ ସଦସ୍ୟ ତପନ ପଣ୍ଡା ପ୍ରମୁଖ ଟିକେଟ ଆଶାୟୀ ତାଲିକାରେ ରହିଛନ୍ତି।

Share