ବରଗଡ଼,୧୩।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ(ଓପିଟିସିଏଲ୍) ପକ୍ଷରୁ ଆସନ୍ତା ୧୪ ତାରିଖରେ ୧୩୨/୩୩ କେ.ଭି ପ୍ରଧାନପାଲି ଗ୍ରୀଡ ସବ୍ଷ୍ଟେଶନର ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ବିଦ୍ୟୁତ୍ କାଟ କରାଯିବ ବୋଲି ଘୋଷଣା କରାଯାଇଥିଲା। ହେଲେ ବିଭାଗ ପକ୍ଷରୁ ୧୪ ତାରିଖ ବଦଳରେ ୧୬ ତାରିଖରେ ବିଦ୍ୟୁତ୍ କାଟ କରାଯିବ ବୋଲି ପୁଣି ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯାଇଛି।
ଉକ୍ତ ଦିନ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବରଗଡ଼ ଜିଲାର ବରଗଡ଼ ସହର, ଭଟଲି, ସୁକୁଡ଼ା, ଶରଧାପାଲି, ରାଇଶୋଭା, ଗୋପାଳପୁର, ମୁଲବାର, ତେଜାଗୋଲା, ନୂଆଁପାଲି, ନୂଆଁଗଡ଼, ବରାହଗୋଡ଼ା, ତୋରା, ଖେଦାପାଲି ତଥା ଆଖପାଖ ଅଞ୍ଚଳରେ ବିଦ୍ୟତ୍ ସରବରାହ ବନ୍ଦ ରହିବ। ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସ୍ଥିର, ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇଁ ଜରୁରୀ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେଣୁ ସାମୟିକ ସମୟ ପାଇଁ ବିଦ୍ୟୁତ୍ ସେବା ବ୍ୟାହତ ହେବା ନେଇ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଜଣାଇ ଦିଆଯାଇଛି।