ଭୁବନେଶ୍ୱର,୨୬।୧(ବ୍ୟୁରେ): ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ବର୍ଗରେ ୯୪୬ ଜଣଙ୍କୁ ପୋଲିସ ପଦକ ଘୋଷଣା କରାଯାଇଛି। ଚଳିତବର୍ଷ ଓଡ଼ିଶାରୁ ମୋଟ ୧୩ ଜଣଙ୍କୁ ପୋଲିସ ପଦକ ମିଳିବ। ୨ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଓ ୧୧ ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ପଦକ ପ୍ରଦାନ କରାଯିବ। ଗୋଇନ୍ଦା ନିର୍ଦ୍ଦେଶକ ଆର.କେ. ଶର୍ମା ଓ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ (ବିପିଏସ୍ପିଏ)ର ଡେପୁଟି ସୁବେଦାର ବୁଦ୍ଧି ବାହାଦୁର ଥାପାଙ୍କୁ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ କରାଯିବ। ଏହାସହ ଆଇଜି (ଆଇନ ଶୃଙ୍ଖଳା) ପ୍ରବୀଣ କୁମାର, ଏଏସ୍ପି ରବୀନ୍ଦ୍ର ଦାସ, ଏଏସ୍ପି ଭବାନୀ ଶଙ୍କର ମିଶ୍ର, ବିପିଏସ୍ପିଏ ଡେପୁଟି କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଏସ୍ଓଜିର ଡେପୁଟି କମାଣ୍ଡାଣ୍ଟ ବୁଦ୍ଧ ତମଙ୍ଗ, ଏସିପି ପ୍ରକାଶ ପାଲ୍, ଏଏସ୍ଆଇ ମନୋରଞ୍ଜନ ଶତପଥୀ, ହାବିଲଦାର ସରୋଜ ଭୋଇ, ହାବିଲଦାର ସେକ୍ ନାଶିରୁଦ୍ଦିନ, କନ୍ଷ୍ଟେବଲ ଗୌତମ ପାତ୍ର ଓ ସୁବେଦାର ହେମନ୍ତ ବାହାଦୁର ଖାତ୍ରୀଛେତ୍ରୀଙ୍କୁ ପୋଲିସ ସେବା ପଦକ ପ୍ରଦାନ କରାଯିବ। ଏନେଇ ସୋମବାର ଡିଜିପି ଅଭୟ ଟୁଇଟ୍ ଜରିଆରେ ପୋଲିସ ପଦକୁ ପାଇବାକୁ ମନୋନୀତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡିଶା ପାଇଁ ଏହା ଗର୍ବର ବିଷୟ ବୋଲି କହିଛନ୍ତି। ସ୍ବାଧୀନତା ଦିବସରେ ଏହି ପଦକ ପ୍ରଦାନ କରାଯିବ।