ପାଟନା,୧୩।୧: ବିହାରରେ ପୁଣି ଥରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ସୀତାମାରିରେ ଗତ ୫ ଦିନ ଧରି ଏକ ବାଘ ଆତଙ୍କ ସୃଷ୍ଟି କରିଛି। ପରିସ୍ଥିତି ଏଭଳି ହୋଇଛି ଯେ ଲୋକେ ଘରୁ ବାହାରିବା ବନ୍ଦ କରିଦେଇଛନ୍ତି। ବାଘ ଆକ୍ରମଣରେ ଏଯାବତ ୨ ମହିଳା ଗୁରୁତର ଆହତ ହୋଇଛନ୍ତି। ସେହିଭଳି ଗୁରୁବାର ରାତିରେ ବାଘଟି ୨ ଘୋଡ଼ାକୁ ମାରିଥିବା ସୂଚନା ମିଳିଛି। ଏନେଇ ଖବର ମିଳିବା ପରେ ବନ ବିଭାଗ ଟିମ୍ ଜନ୍ତୁକୁ ଧରିବା ଲାଗି ପ୍ରୟାସ ଜାରି ରଖିଛି। ହେଲେ ଏଯାବତ କୌଣସି ସୂଚନା ମିଳିପାରିନାହିଁ। କେବଳ ସୀତାମାରିର ଖାର୍କା ଗ୍ରାମରେ ବାଘର ପଞ୍ଝାର ଚିହ୍ନ ଦେଖିବାକୁ ମିଳିଛି।
ସୀତାମାରିରେ ବାଘ ଆତଙ୍କ ଯୋଗୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବାଘ ୨ ଘୋଡ଼ାକୁ ମାରି ଖାଇଥିବା ଦେଖାଯାଇଛି। ତେବେ କେଉଁଠାରୁ ବାଘ ଆସି ଏଭଳି କାଣ୍ଡ ଘଟାଉଛି ତାର ଟେର ପାଉନି ବନ ବିଭାଗ। କେବଳ ଆସିବା ବେଳର ପାଦ ଚିହ୍ନ ରହିଥିବା ବେଳେ ଯିବା ସମୟର ପାଦ ଚିହ୍ନ ମିଳୁନାହିଁ। ଏଣୁ ବାଘ ପକ୍କା ରାସ୍ତା ଦେଇ ନେପାଳକୁ ଫେରିଥାଇପାରେ ବୋଲି ଆଶା କରାଯାଉଛି। ଏହାପୂର୍ବରୁ ରାମନଗରା ଗ୍ରାମରେ କ୍ଷେତରେ କାମ କରୁଥିବା ୨ ମହିଳାଙ୍କ ଉପରେ ବାଘ ଆକ୍ରମଣ କରିଥିଲା।