ଚୋରି ଲୁଚାଇବାକୁ ରାତିଆଧିଆ ଖାଦାନ ପୋତା

ଯାଜପୁର ଅଫିସ,୧୦ା୧୧:ଅନୁମତିଠାରୁ ବହୁ ଗୁଣରେ ଅଧିକ କଳାପଥର ଉତ୍ତୋଳନ ଅଭିଯୋଗର ସାଟେ ଲାଇଟ୍‌ ତଦନ୍ତକୁ ତ୍ୱରାନ୍ବିତ କରିବା ପରେ ଅନ୍ୟ ଲିଜ୍‌ଧାରୀଙ୍କ ମଧ୍ୟରେ ଛନକା ପଶିଛି। ଯାଜପୁର ଜିଲାର ଧର୍ମଶାଳା ତହସିଲ ଅଧୀନରେ ଏହି ବେଆଇନ କାର୍ଯ୍ୟକୁ ଘଣ୍ଟ ଘୋଡାଇବାକୁ ବରଡା ମୌଜାରେ ଥିବା ପଥର ଖାଦାନକୁ ପୋତିବାକୁ ଯାଇ ପୁଣି ମୋରମ ଓ ମାଟି ଲୁଟ ହେଉଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ବରଡା (ମାଳଗୋଡା) ମୌଜାରେ ଥିବା ଏକ ଖାଦାନ ଅବଧି ଆସନ୍ତା ବର୍ଷ ମାର୍ଚ୍ଚ ୩୦ରେ ଶେଷ ହେବ। ହାତରେ ଆଉ ମାତ୍ର ୪ମାସ ରହିଛି। ଏହା ପୂର୍ବରୁ ଖାଦାନ ଲୁଟ ଲୁଚାଇବା ପାଇଁ ଗଭୀର ଖାଲଗୁଡ଼ିକୁ ପୋତିବାକୁ ବହୁ ଟ୍ରିପ ପାହାଡିଆ ମାଟି ରାତିରେ ବ୍ୟବହାର କରାଯାଉଛି। ଏଥିପାଇଁ ତହସିଲ ପ୍ରଶାସନ ପକ୍ଷରୁ କୌଣସି ଅନୁମତି ନିଆଯାଇ ନାହିଁ। ଏହି ଖାଦାନରେ ୨.୫ ଏକର ମଞ୍ଜୁରୀ ମିଳିଥିବାବେଳେ ବାର୍ଷିକ ୧୭୦୦ ଘନମିଟର ହାରରେ ୫ ବର୍ଷରେ ୮୫୦୦ ଘନମିଟର ଖୋଲିବା ପାଇଁ ଅନୁମତି ମିଳିଛି। କିନ୍ତୁ ଲିଜ୍‌ଧାରୀ ଏହି ଅବଧି ମଧ୍ୟରେ ଏହାର ଶହେ ଗୁଣାରୁ ଅଧିକ କଳା ପଥର ଲୁଟ୍‌ କରିଥିବା ଖାଦାନର ବର୍ତ୍ତମାନ ସ୍ଥିତି ଦେଖିଲେ ସ୍ପଷ୍ଟ ଜଣାପଡୁଛି। ମାଳଗୋଡ଼ାଠାରେ ପ୍ରାୟ ୧୦୦ ଫୁଟର ଗାତ ହୋଇ ପୋଖରୀର ଭ୍ରମ ସୃଷ୍ଟି କରିଛି । ୫ ବର୍ଷରେ ଯେତିକି ପରିମାଣର ପଥର ଉତ୍ତୋଳନ ପାଇଁ ସରକାରୀ ଭାବେ ଲିଜ୍‌ ମିଳିଛି, ସେହି ପରିମାଣର କଳାପଥର ମାସକ ଭିତରେ ଉତ୍ତୋଳନ ହେଉଛି ବୋଲି ଅଭିଯୋଗ ହେଉଛି।

Share