ଭୁବନେଶ୍ୱର, ୧।୧(ବ୍ୟୁରୋ)- ଓଡ଼ିଶା ଆସିଥିବା ବ୍ରିଟେନ ଫେରନ୍ତାଙ୍କଠାରେ ଏଯାଏ କରୋନାର ନୂଆ ଷ୍ଟ୍ରେନ୍ ଠାବ ହୋଇନାହିଁ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶୁକ୍ରବାର ସୂଚନା ଦେଇଛନ୍ତି। ରାଜ୍ୟକୁ ଆସିଥିବା ସମସ୍ତ ବ୍ରିଟେନ ଫେରନ୍ତାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ନମୁନା ପରୀକ୍ଷା ହୋଇଛି। ଯେଉଁମାନଙ୍କର କରୋନା ପଜିଟିଭ୍ ବାହାରିଛି ସେମାନଙ୍କଠାରେ ନୂଆ ଷ୍ଟ୍ରେନ୍ ଅଛି କି ନାହିଁ ତାହାର ପରୀକ୍ଷା ପାଇଁ ନମୁନାକୁ ପୁଣେ ପଠାଯାଇଥିଲା। ଇତିମଧ୍ୟରେ ସେଠାରୁ କେତେଜଣଙ୍କ ରିପୋର୍ଟ ଆସିଛି। ସେଥିରୁ କେହି ବି ନୂଆ ଷ୍ଟ୍ରେନ୍ରେ ସଂକ୍ରମିତ ହୋଇ ନାହାନ୍ତି। ତେବେ ଅନ୍ୟ କେତେକ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ସେ କହିଛନ୍ତି।
ଅପରପକ୍ଷେ ଗତ ୨୪ଘଣ୍ଟାରେ ରାଜ୍ୟରେ ୨୪୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬ ଜିଲାରୁ ଆଦୌ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ତେବେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୩,୨୯,୮୬୬ରେ ପହଞ୍ଚତ୍ଛି। ସେହିପରି ଆଉ ୩ଜଣ ଆକ୍ରାନ୍ତଙ୍କର କରୋନାରେ ମୃତ୍ୟୁ ଘଟିଛି। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୮୭୬କୁ ଛୁଇଁଛି। ଏପଟେ ଆଉ ୩୦୧ ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ମୋଟ ଆରୋଗ୍ୟ ସଂଖ୍ୟା ୩,୨୫,୭୩୩କୁ ବୃଦ୍ଧି ପାଇଛି।