Categories: ଜାତୀୟ

ନୂଆ ଗାଇଡଲାଇନ ସହ ଆସିଲା ଅନଲକ୍‌-୩: ଜାଣନ୍ତୁ କ’ଣ ବନ୍ଦ, ଖୋଲା ରହିବ

ନୂଆଦିଲ୍ଲୀ,୨୯।୭: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରାଳୟ ପକ୍ଷରୁ ବୁଧବାର ଅନଲକ୍‌ ୩.୦ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଜୁଲାଇ ୩୧ରେ ଅନଲକ୍‌-୨ ଶେଷ ହେବାକୁ ଥିବା ବେଳେ ଅଗଷ୍ଟ-୧ରୁ ଅନଲକ୍‌-୩ ଆରମ୍ଭ ହେବ। ଏହି ନୂଆ ଗାଇଡଲାଇନ ଅଗଷ୍ଟ ୩୧ଯାଏ ଜାରି ରହିବ। ନୂଆ ଗାଇଡଲାଇନ ଅନୁସାରେ ପୂର୍ବରୁ ଲାଗୁ ହୋଇଥିବା କଟକଣାକୁ ଆହୁରି କୋହଳ କରାଯାଇଛି। କିନ୍ତୁ କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ପୂର୍ବଭଳି କଟକଣା ଲାଗୁ ରହିବ। ତେବେ ଏହି ନୂଆ ଗାଇଡ୍‌ଲାଇନ ଅନୁସାରେ ଅଗଷ୍ଟ ୫ରୁ ରାତ୍ରକାଳୀନ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ଉଠାଇଦିଆଯାଇଥିବା ବେଳେ ଜିମ୍‌ ଖୋଲିବାକୁ ଅନୁମତି ଦିଆଯାଇଛି। ସ୍କୁଲ ଓ କଲେଜ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ସେହିପରି ବିମାନ ଚଳାଚଳ ଉପରେ କଟକଣା ପୂର୍ବଭଳି ଲାଗୁ ରହିବ। ବିଭିନ୍ନ ରାଜ୍ୟ ଓ ଜିଲାରେ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ପାଳନ ସମୟରେ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ପାଳନ କରାଯିବା ସହ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ। ସିନେମା ହଲ, ବାର, ଅଡିଟୋରିୟମ, ସ୍ବିମିଂ ପୁଲ, ପାର୍କ ଖୋଲିବାକୁ ଅନୁମତି ଦିଆଯାଇନାହିଁ। ସେହିଭଳି ମେଟ୍ରୋ ରେଳ ଚଳାଚଳ, ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନକୁ ମଧ୍ୟ ଅନୁମତି ମିଳି ନାହିଁ। ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ସ୍ଥିତି ଆକଳନ କରି ନିଷ୍ପତ୍ତି ନେଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

 

Share