ମୁମ୍ବାଇ,୨୭।୧: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରି ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ପରେ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ କିଏ ହେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ଦୁଇ ଜଣଙ୍କ ନାଁ ସାମ୍ନାକୁ ଆସିଛି। ପୂର୍ବତନ ଲୋକ ସଭା ବାଚସ୍ପତି ସୁମିତ୍ରା ମହାଜନ ଏବଂ ଭାଜପା ନେତା ଓମ ମାଥୁରଙ୍କ ନାଁ ରାଜ୍ୟପାଳ ଦୌଡରେ ଥିବା ଆଲୋଚନା ହେଉଛି। ହେଲେ ଏ ସମ୍ପର୍କରେ କୌଣସି ସରକାରୀ ସୂଚନା ଆସିନାହିଁ।
ନିକଟରେ ସମସ୍ତ ରାଜନୈତିକ ଦାୟିତ୍ୱରୁ ମୁକ୍ତି ପାଇବାକୁ ଚାହୁଁଛି ବୋଲି ରାଜ୍ୟପାଳ ଭଗତ ସିଂ କୋଶିୟାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଥିଲେ। ରାଜ୍ୟପାଳ ତାଙ୍କ ଅବଶିଷ୍ଟ ଜୀବନ ପଢିବା, ଲେଖିବା ଏବଂ ଅନ୍ୟାନ୍ୟ ମନୋରଞ୍ଜନ କାର୍ଯ୍ୟରେ ବିତାଇବାକୁ ଚାହିଁଛନ୍ତି।