ନାଭି ମୁମ୍ବାଇ, ୪।୫: ପ୍ରଥମ ଥର ପାଇଁ ଆଇପିଏଲ୍ ଖେଳୁଥିବା ଗୁଜରାଟ ଟାଇଟନ୍ସ ଟୁର୍ନାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି। ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଜିତୁଥିବାରୁ ଦଳ ମଙ୍ଗଳବାର ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ଜିତି ପ୍ଲେଅଫ୍ରେ ପ୍ରଥମେ ସ୍ଥାନ ପାଇବ ବୋଲି ଆଶା କରାଯାଉଥିଲା। ହେଲେ ୮ ଉଇକେଟରେ ମ୍ୟାଚ୍ରେ ପରାଜିତ ହୋଇଥିଲା ଗୁଜରାଟ। ତେବେ ଆରମ୍ଭରୁ ଟସ୍ ଜିତିଥିଲେ ହେଁ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବାରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପରାଜିତ ହେବାକୁ ପଡ଼ିଛି ବୋଲି ପ୍ରଶଂସକ ମତ ରଖିଥିଲେ। ଏହାକୁ ନେଇ ଏେ ପ୍ରତିକ୍ରିୟା ଦେଇଛନ୍ତି ହାର୍ଦ୍ଦିକ।
ସେ କହିଛନ୍ତି, ଏଭଳି ମଇଦାନରେ ୧୭୦ ରନ୍ ସ୍କୋର ପ୍ରତିଯୋଗିତାମୂଳକ ହୋଇଥାନ୍ତା। କିନ୍ତୁ ଲଗାତର ଉଇକେଟ ହରାଇବା କାରଣରୁ ଦଳ ବଡ଼ ସ୍କୋର କରିପାରି ନ ଥିଲା। କଠିନ ପରିସ୍ଥିତିରେ ଦଳ କେଉଁଭଳି ଖେଳୁଛି ତାହା ପରୀକ୍ଷା କରିବାକୁ ଚାହୁଁଥିଲୁ। ଏଥିପାଇଁ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲି। ନୂଆ ବଲ୍ ଯୋଗୁ ଅସୁବିଧାରେ ପଡ଼ିବାର ଆଶଙ୍କା ଥିଲା। ତଥାପି ଗୋଟିଏ ପରେ ଗୋଟିଏ ଉଇକେଟ ହରାଇବା କାରଣରୁ ଚାପ ବୃଦ୍ଧି ପାଇଥିଲା ବୋଲି ସେ କହିଛନ୍ତି।